ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା । ମଣିଷ ଦେହରେ ସଫଳ ହେଲା ଘୁଷୁରୀ କିଡନୀ ରୋପଣ

378

କନକ ବ୍ୟୁରୋ: ଗବେଷଣା ତଥା  ଶଲ୍ୟ ବିଜ୍ଞାନରେ ଆଉ ଏକ ମାଇଲଖୁଣ୍ଠ । ଆମେରିକାରେ ବୈଜ୍ଞାନିକ ମାନେ ଏପରି କିଛି କରିଦେଖାଇଛନ୍ତି ଯାହାକୁ ସହଜେ ଗ୍ରହଣ କରିହେଉନଥିଲେ ବି ଏହା ସତ ପ୍ରମାଣିତ ହୋଇଛି । ମଣିଷ ଦେହରେ ଘୁଷୁରୀ କିଡନୀ ପ୍ରତ୍ୟାରୋପଣ କରି ପାଇଛନ୍ତି  ଏକ ବିରଳ ସଫଳତା ।

 

ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡନୀ ଲଗାଇ ଦେଖିଥିଲେ ତାହା କାମ କରୁଛି କି ନାହିଁ, ଯାହା ବହୁ ଦଶନ୍ଧି ଧରି ଏକ ପ୍ରଶ୍ନ ହୋଇ ରହିଆସିଥିଲା। ମଣିଷର ଜୀବନ ବଞ୍ଚାଇବା ପାଇଁ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ମାନବ ଅଙ୍ଗ ଯଥେଷ୍ଟ ପରିମାଣରେ ଉପଲବ୍ଧ ନ ଥିବାରୁ ପ୍ରାଣୀ ଅଙ୍ଗ ପ୍ରତିରୋପଣ କଥା ଅନେକ ଦଶନ୍ଧି ଧରି ବୈଜ୍ଞାନିକମାନେ ଚିନ୍ତା କରିଆସୁଥିଲେ। ଏଥିରେ ଘୁଷୁରିକୁ ପରୀକ୍ଷା ପାଇଁ ନିଆଯାଇଥିଲା। କିନ୍ତୁ ଘୁଷୁରି କୋଷରେ ଥିବା ଏକ ପ୍ରକାର ‘ସୁଗାର’ ସାଜିଥିଲା ବାଧକ, ଯାହା ମଣିଷ ଶରୀରରେ ନ ଥାଏ। ତେଣୁ ମଣିଷ ଶରୀରରେ ଘୁଷୁରି ଅଙ୍ଗ ପ୍ରତିରୋପଣ କଲେ ମଣିଷ ଶରୀର ତାକୁ ପ୍ରତ୍ୟାଖ୍ୟାନ କରିଦିଏ। କିନ୍ତୁ ଏହି ପ୍ରତିରୋପଣ ପାଇଁ ଯେଉଁ ଘୁଷୁରିର କିଡ୍‌ନି ନିଆଯାଇଥିଲା, ତାହା ଥିଲା ଏକ ଜିନ୍-ଏଡିଟେଡ୍ (ଜିନ୍-ପରିବର୍ତ୍ତିତ) ପ୍ରାଣୀ, ଯାହା ଶରୀରରେ ଉକ୍ତ ‘ସୁଗାର’ ହିଁ ନ ଥିଲା। ତେଣୁ ଏହି କିଡ୍‌ନି ମଣିଷ ଶରୀରରେ ଠିକ୍ କାମ କରିବାକୁ ଆରମ୍ଭ କଲା ଏବଂ ମଣିଷ ଶରୀର ଏହାକୁ ପ୍ରତ୍ୟାଖ୍ୟାନ କରିଲା ନାହିଁ। ମଣିଷ ଶରୀରରେ ଲଗାଇବା ପୂର୍ବରୁ ବାହାରେ ମଧ୍ୟ ଦୁଇଦିନ ଧରି ଏହାକୁ ପରୀକ୍ଷା କରାଯାଇଥିଲା।

 

ବର୍ତ୍ତମାନ ମଣିଷ ଶରୀରରେ ଅସ୍ଥାୟୀ ଭାବେ ଲଗାଯାଇଥିବା ଉକ୍ତ ଘୁଷୁରି କିଡନୀ ଠିକ୍ କାମ କରୁଛି ବୋଲି ଏନ୍‌ୱାଇୟୁ ଲାଙ୍ଗୋର ହେଲ୍‌ଥର ସର୍ଜିକାଲ ଟିମ୍‌ର ମୁଖ୍ୟ ଡ. ରବର୍ଟ ମଣ୍ଟଗୋମେରୀ କହିଛନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ବୋଲି ୟୁନିଭର୍ସିଟି ଅଫ୍ ମିନେସୋଟା ମେଡିକାଲ ସ୍କୁଲ୍‌ର ଡ. ଆଣ୍ଡ୍ରୁ ଆଦାମ୍‌ସ କହିଛନ୍ତି। ଆଗକୁ ମାଙ୍କଡ଼, ବଣମଣିଷ ପ୍ରଭୃତି ଅନ୍ୟ ପ୍ରାଣୀଙ୍କ ଜିନ୍ ପରିବର୍ତ୍ତନ କରି ସେମାନଙ୍କ ଅଙ୍ଗ ମଧ୍ୟ ମଣିଷକୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଇପାରିବ।