କୁନି ବୈଜ୍ଞାନିକ ବିଶ୍ୱବନ୍ଧୁଙ୍କ କମାଲ୍ : ତିଆରି କଲେ ଜଳ, ବାୟୁ ଓ ସୌରଶକ୍ତିରେ ଚାଲୁଥିବା ସ୍ୱତନ୍ତ୍ର ସାଇକେଲ  

891

କନକ ବ୍ୟୁରୋ : କୁନି ବୈଜ୍ଞାନିକଙ୍କ କମାଲ୍ । ଜଳ, ବାୟୁ ଓ ସୌରଶକ୍ତିରେ ଚାଲୁଥିବା ସ୍ୱତନ୍ତ୍ର ସାଇକେଲ ଉଦ୍ଭାବନ କଲେ କେନ୍ଦୁଝର ଜିଲ୍ଲାର ବିଶ୍ୱବନ୍ଧୁ ଓଝା । ଆଜିର ଶିଶୁ କାଲିର ଭବିଷ୍ୟତ । ତୁଳସୀ ଦୁଇପତ୍ରରୁ ବାସିଲା ପରି ତୃତୀୟ ଶ୍ରେଣୀରୁ ତାଙ୍କ ପ୍ରତିଭା ଜଣାପଡ଼ିଥିଲା । ପ୍ରଥମେ ଏକ ଡିଜେ ଗାଡ଼ି ତିଆରି କରିଥିଲେ ବିଶ୍ୱବନ୍ଧୁ ।  ପିଲାବେଳୁ ସେ ଗବେଷଣା ମନସ୍କ ।  କିଛି ନୂଆ କରିବାର ଇଚ୍ଛା ନେଇ ସବୁବେଳେ ବ୍ୟସ୍ତ । ତେବେ ବର୍ତ୍ତମାନ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବିଶ୍ୱବନ୍ଧୁ ସ୍ୱତନ୍ତ୍ର ସାଇକେଲ ତିଆରି କରି ପ୍ରଶଂସା ସାଉଣ୍ଟୁଛନ୍ତି ।

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ତରିମୂଳ ଗାଁର କୁନି ବୈଜ୍ଞାନିକ ବିଶ୍ୱବନ୍ଧୁ ଓଝା । ତରିମୂଳ ନୋଡ଼ାଲ ହାଇସ୍କୁଲରେ ନବମ ଶ୍ରେଣୀର ଛାତ୍ର । ଅଳ୍ପ ବୟସରୁ କରିସ୍ମା ଦେଖାଉଛନ୍ତି ବିଶ୍ୱବନ୍ଧୁ । ଗତବର୍ଷ ପାଣିରେ ଚାଲୁଥିବା କାର ତିଆରି କରି ଜିଲ୍ଲାସ୍ତରରେ ପ୍ରଶଂସିତ ହୋଇଥିବା ବିଶ୍ୱବନ୍ଧୁ ଏବେ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ସାଇକେଲ । ବଢ଼ୁଥିବା ତେଲ ଦର ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାଣି, ବାୟୁ ଓ ସୌରଶକ୍ତିରେ ଚାଲୁଥିବା ସାଇକେଲ ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଅନ୍ୟ ବ୍ୟାଟେରୀ ଚାଳିତ ସାଇକେଲ ପରି ଏଥିରୁ ଚାର୍ଜ ସରିବ ନାହିଁ । ସାଇକେଲ ଚାଲୁଥିବା ଅବସ୍ଥାରେ ପାଣି, ପବନ ଓ ସୌରଶକ୍ତି ସାହାଯ୍ୟରେ ଆପେ ଆପେ ଚାର୍ଜ ହୋଇ ଗତିଶୀଳ ହେବ । ସାଇକେଲର ଡାହାଣ ପଟେ ଥିବା ପାଣିରୁ ଟରବାଇନ୍ ଯୋଗେ ୧୨ ଭୋଲ୍ଟ ଶକ୍ତି ଉତ୍ପାଦିତ ହେଉଥିବା ବେଳେ ସାଇକେଲ ସମ୍ମୁଖରେ ଥିବା ସୋଲାର ପ୍ୟାନେଲରୁ ୬ ଭୋଲ୍ଟ ମିଳିଥାଏ । ଏହାସହ ସମ୍ମୁଖରେ ଥିବା ୨ଟି ଫ୍ୟାନ୍ ଘୁରିରେ ସେଥିରୁ ୬ ଭୋଲ୍ଟ ଶକ୍ତି ମିଳିଥାଏ । ଏହିପରି ଭାବେ ୨୪ ଭୋଲ୍ଟ ବ୍ୟାଟେରୀରେ କୁନି ବୈଜ୍ଞାନିକ ବିଶ୍ୱବନ୍ଧୁଙ୍କ ସାଇକେଲ ଚାଲୁଛି । ଘଣ୍ଟା ପ୍ରତି ୩୦ କିମି ବେଗରେ ଚାଲୁଛି ସାଇକେଲ । ଥରେ ଚାର୍ଜ କଲେ ଏକରୁ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ ସାଇକେଲ ।

ବିଶ୍ୱବନ୍ଧୁ ଅବସର ସମୟରେ ନିଜ ଘରେ ଥିବା ପ୍ରୟୋଗଶାଳାରେ ସବୁବେଳେ ପରୀକ୍ଷାନିରୀକ୍ଷା କରିଥାଆନ୍ତି ।  ଆଗାମୀ ଦିନରେ ସୀମାରେ ମୁତୟନ ଯବାନଙ୍କୁ ସାହାଯ୍ୟ କରିବାକୁ ଏକ ରୋବର୍ଟ ତିଆରି କରିବା ପାଇଁ ଆଶା ରଖି ଗବେଷଣା ଜାରି ରଖିଛନ୍ତି । ତାଙ୍କ ବାପା କହନ୍ତି ଗବେଷଣା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଆଗାମୀ ଦିନରେ ବିଶ୍ୱବନ୍ଧୁଙ୍କ ଗବେଷଣା ମନୋବୃତ୍ତି ଜାରି ରହୁ ଏବଂ ଦେଶର କଲ୍ୟାଣ ପାଇଁ ସେ କିଛି ଉଦ୍ଭାବନ କରୁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ।