କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ସ୍କୁଲ : ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢିବେ ପାଠ

559

କନକ ବ୍ୟୁରୋ : କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ସିଧାସଳଖ ପାଠପଢିବେ । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି , ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି ।

ସକାଳ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହା ପୂର୍ବରୁ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏବଂ ଯେଉଁମାନେ ସେମାନଙ୍କ ପିଲାଙ୍କୁ ପାଠପଢ଼ାଇବାକୁ ପଠାଇବେ ସେମାନଙ୍କୁ ଏକ ସ୍ୱୀକୃତି ପତ୍ର ଦେବାକୁ କୁହାଯାଇଛି । ଏହି ସମୟରେ ଯଦି ସବୁକିଛି ଠିକଠାକ୍ ଚାଲେ ତେବେ ସେପ୍ଟେମ୍ବର ୧୫ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ଚଳିତ ବର୍ଷ ମାଟ୍ରିକ୍ ଓ ପ୍ଲସ-୨ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ନେଇ ହରଡ଼ ଘଣାରେ ପଡ଼ିଥିଲା ଗଣଶିକ୍ଷା ବିଭାଗ । କାରଣ କୌଣସି ଅଫ୍ଲାଇନ ପରୀକ୍ଷା ହୋଇନଥିବାରୁ ମୂଲ୍ୟାଙ୍କନରେ ବିଭ୍ରାଟ ସୃଷ୍ଟି ହୋଇଥିଲା ।

ତେଣୁ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ । ବର୍ଷକ ଭିତରେ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁୟାରୀ ଦ୍ୱିତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ହେବ ଶ୍ରେଣୀ ପରୀକ୍ଷା । ପ୍ରତି ପରୀକ୍ଷାକୁ ଗୁରୁତର ସହ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ବୋର୍ଡ ପରୀକ୍ଷା ହୋଇନପାରିଲେ ଶ୍ରେଣୀ ପରୀକ୍ଷା ଅନୁଯାୟୀ ହେବ ମୂଲ୍ୟାୟନ । ସିବିଏସଇ ଢାଂଚାରେ ପ୍ରଥମ ଥର ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଣିକ୍ଷା ବିଭାଗ ।