କନକ ବ୍ୟୁରୋ : ତିନି ମାସ ଧରି ସ୍କୁଲରେ ତାଲା । ସ୍କୁଲକୁ ଅପଗ୍ରେଡ୍ ମାନ୍ୟତା ଦାବିରେ ଦୀର୍ଘ ୧୧୭ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ଗ୍ରାମବାସୀ । ଆଉ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ୁଛି । ଗ୍ରାମ ବାସୀ ସ୍କୁଲର ତାଲା ନ ଖୋଲିବାକୁ ଜିଦ୍ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ଶିକ୍ଷକମାନେ ଆସି ବାହାରେ ବସି ରହୁଛନ୍ତି ।

Advertisment

ଏହା ହେଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଗଣ୍ଡାମେର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ସ୍କୁଲରେ ତାଲା ପଡ଼ିଥିବାରୁ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ନାମଲେଖା ହୋଇ ନାହିଁ । ଏମିତିକି ୫ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଟିସି ମଧ୍ୟ ନେଇ ପାରୁ ନାହାନ୍ତି । ଗ୍ରାମବାସୀ ଗତ ୫ ବର୍ଷ ହେଲା ସ୍କୁଲକୁ ଅପଗ୍ରେଡ କରିବା ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ସମସ୍ତଙ୍କୁ ଜଣାଇଛନ୍ତି ।

ହେଲେ କେହି ମଧ୍ୟ ଏମାନଙ୍କ ଦାବିକୁ କର୍ଣ୍ଣପାତ ନକରିବାରୁ ଗ୍ରାମବାସୀ ମାନେ ଦୀର୍ଘଦିନ ହେବ ବିଦ୍ୟାଳୟ ଗେଟକୁ ତାଲା ମାରି ଆନ୍ଦୋଳନ ଜାରି ରଖିଛନ୍ତି । ସ୍କୁଲ ବନ୍ଦ ହୋଇଥିବା ବେଳେ ଛାତ୍ରଛାତ୍ରୀ ପାଠ ପଢାରୁ ବଂଚିତ ହେଉ ଥିଲେ । ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗ୍ରାମର ୩ ଜଣ ଯୁବକ ମାଗଣାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ପ୍ରଶାସନ ସବୁ ଜାଣି କୌଣସି ବ୍ୟବସ୍ଥା କରୁ ନ ଥିବାରୁ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ, ସେନେଇ ଚିନ୍ତାରେ ରହିଛନ୍ତି ଅଭିଭାବକ ।