ନୂଆବର୍ଷରେ ଗୁଜରାଟ ସରକାରଙ୍କ ନୂଆ ନିର୍ଦ୍ଦେଶ ! ୟେସ୍ ସାର ନୁହେଁ, ଜୟ ହିନ୍ଦ୍ କିମ୍ବା ଜୟ ଭାରତ୍ କହିବେ ଛାତ୍ରଛାତ୍ରୀ

114

କନକ ବ୍ୟୁରୋ : ଗୁଜରାଟ ସ୍କୁଲରେ ବନ୍ଦ ହେଲା ଉପସ୍ଥାନ ବେଳେ ୟେସ୍ ସାର୍ କହିବା । ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ୟେସ୍ ସାର ବଦଳରେ ଜୟ ହିନ୍ଦ କିମ୍ବା ଜୟ ଭାରତ କହିବାକୁ ଗୁଜରାଟ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନୂଆ ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବାକୁ ଶିକ୍ଷକମାନଙ୍କୁ କୁହାଯାଉଛି । ସ୍କୁଲରେ ଉପସ୍ଥାନ ନେବା ବେଳେ ଇଂରାଜୀରେ ୟେସ୍ ସାର ପରିବର୍ତ୍ତେ ହିନ୍ଦୀରେ ଜୟ ହିନ୍ଦ କିମ୍ବା ଜୟ ଭାରତ କହିବାକୁ କୁହାଯାଇଛି । ରାଜ୍ୟର ଇଂରାଜୀ ମିଡ଼ିୟମ ସ୍କୁଲଗୁଡ଼ିକରେ ମଧ୍ୟ ଏହା ଲାଗୁ ହେବ । ଏହାକୁ ନେଇ ଛାତ୍ରଛାତ୍ରୀ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଗୁଜୁରାଟର ଶିକ୍ଷା ବିଭାଗ,ଗୁଜୁରାଟ ମାଧ୍ୟମିକ ଏବଂ ଉଚ୍ଚୋତ୍ତର ମାଧ୍ୟମିକ ଶିକ୍ଷା ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ ବି.ଏସ୍ ରୋଜଗାର ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କି ସମସ୍ତ ସରକାରୀ,ଘରୋଇ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀମାନେ ଉପସ୍ଥାନ ଦିଆଯିବା ବେଳେ ‘ଜୟ ହିନ୍ଦ୍’ ବା ’ଜୟ ଭାରତ’ ବୋଲି କହିବେ ।


୨୦୧୮ ବର୍ଷରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକରେ ଆଲୋଚନା ହେବା ପରେ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୁଡୁସା ଏହି ନିର୍ଦ୍ଦେଶ ଦେଇଛନ୍ତି।  ଛାତ୍ରଛାତ୍ରୀ ମାନଙ୍କ ମନରେ ପିଲାଦିନରୁ ଦେଶାତ୍ମବୋଧକ ଭାବନା ଜାଗ୍ରତ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ୨୦୧୯ ଜାନୁଆରି ୧ ତାରିଖରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି ।