ତାଲିବାନ ଦଖଲରେ ଥିବା ସହର ଭିତରୁ ଆସିଲା ଦୃଶ୍ୟ । ସ୍ୱାଭାବିକ ଭାବେ ଚାଲିଛି ଜୀବନଜିବିକା । ଖୋଲିଛି ଦୋକାନ, ବଜାର, ଡାକ୍ତରଖାନା

466

କନକ ବ୍ୟୁରୋ: ଗୋଟିଏ ପଟେ କାବୁଲ ଉପରେ କବ୍ଚା କରି ସାରା ବିଶ୍ୱରେ ନିଜ ଆତଙ୍କରାଜର ନମୂନା ଦେଖାଇଛି ତାଲିବାନ । ଅନ୍ୟପଟେ ତାଲିବାନ କଏଦରେ ଥିବା ଏକ ସହରରେ ଦେଖିବାକୁ ମିଳିଛି ସାଧାରଣ ଜୀବନଯାତ୍ରା । ତାଲିବାନ ଆତଙ୍କ ନେଇ ଅନେକ ଚିତ୍ର ଦେଖିବାକୁ ମିଳିଥିବାବେଳେ, ଏଭଳି ଚିତ୍ର ସାମ୍ନାକୁ ଆସିଛି, ଯେଉଁଠି ସାଧାରଣ ଭାବେ ଚାଲିଛି ଦୋକାନ ବଜାର । ପିଲାମାନେ ଯାଉଛନ୍ତି ସ୍କୁଲ । ଚାଲିଛି ଡାକ୍ତରଖାନା । ହେଲେ ସବୁ ସ୍ଥିତି ଉପରେ ନଜର ରଖୁଛନ୍ତି ବନ୍ଧୁକଧାରୀ ତାଲିବାନି ସେନା ।

ଆଫଗାନିସ୍ତାନ ଉପରେ ତାଲିବାନର କବ୍ଚାରେ ରାଜଧାନୀ କାବୁଲରେ ଦେଖିବାକୁ ମିଳିଛି ଆତଙ୍କ । ଲୋକେ ଦେଶ ଛାଡି ପଳାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏଭଳି ସ୍ଥିତିରେ ତାଲିବାନ ଅକ୍ତିଆର କରିଥିବା ସହର ଗୁଡିକରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଯେଉଁଠି ସ୍ୱାଭାବିକ ଜୀବନ ଯାତ୍ରା ସହ ଲୋକଙ୍କୁ ସ୍ୱାଧିନ ଭାବେ ବୁଲୁଥିବାର ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି ଗେରଶୈଖ ସହରର । ଯେଉଠି ସ୍ୱାଭାବିକ ଭାବେ ଚାଲିଛି ଦୋକାନ ବଜାର । ଲୋକେ ସାଧାରଣ ଭାବେ ଯାତାୟତ କରୁଛନ୍ତି । ହେଲେ ଛକ ଛକରେ ତାଲିବାନ ସେନା ବନ୍ଧୁକ ଧରି ନଜର ରଖୁଥିବା ଦେଖିବାକୁ ମିଳିଛି ।

ଆଫଗାନିସ୍ତାନ ରାଜଧାନୀ କାବୁଲରେ ତାଲିବାନ କବ୍ଚା ଜମାଇବା ପରେ ଯେଭଳି ଚିତ୍ର ସାମ୍ନାକୁ ଆସିଛି, ତାହା ପୁରା ବିଶ୍ୱକୁ ଦୋହଲାଇଦେଇଛି । ସବୁଠି ତାଲିବାନର କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି । ହେଲେ ଆଫଗାନିସ୍ତାନରେ ଏପରି ବି ଅନେକ ସ୍ଥାନ ରହିଛି ଯେଉଁଠି ତାଲିବାନର ରାଜୁତିକୁ ଲୋକେ ସମର୍ଥନ କରୁଛନ୍ତି ।

ଗେରଶୈଖ ସହରରେ ଡାକ୍ତରଖାନା ସ୍ୱାଭାବିକ ଭାବେ ଚାଲିଛି । ଡାକ୍ତରଖାନାର ମୁଖ୍ୟ କହିଛନ୍ତି – ଆମକୁ କିଛି ଫରକ ପଡୁନି ଶାସନ କାହାର । ସରକାର ପରବିର୍ତନ ହୋଇଛି ବୋଲି ଆମକୁ ଜଣା ପଡୁନି । ଡାକ୍ତରଖାନା ସାଧାରଣ ଭାବେ ଚାଲିଛି । ସେହିପରି ମହିଳାମାନେ ମଧ୍ୟ କହିଛନ୍ତି ଆଗଭଳି ବୁରଖା ପିନ୍ଧି ବଜାର ଆସିପାରୁଛନ୍ତି । ଛୋଟ ପିଲାମାନେ ମଧ୍ୟ ସ୍କୁଲ ଯାଇ ପାରୁଛନ୍ତି । ତେବେ ସହରର ବିଭିନ୍ନ ସ୍ଥାନରେ ତାଲିବାନର ପଲାକା ଉଡୁଥିବା ଦେଖିବାକୁ ମିଳୁଛି । ଆଉ ସହରର ସବୁ ସ୍ଥାନରେ ଜଗି ରହିଛନ୍ତି ତାଲିବାନ ସେନା ।