କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଲା ମୋ ସରକାର ଯୋଜନାର ସାଇଡ୍ ଇଫେକ୍ଟ । ଘରୋଇ ପାଥୋଲଜି ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ଡାକ୍ତର, ଦିନ ଦିନ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀ

1,205

କନକ ବ୍ୟୁରୋ : ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏପରିକି ପ୍ରଥମେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହିଁ ଫାଇଭ୍ ଟି କାର୍ଯ୍ୟକାରୀ ହୋଇଛି । ରୋଗୀଙ୍କୁ ହସପିଟାଲ ଭିତରେ ହେଉଥିବା ବିଭିନ୍ନ ପରୀକ୍ଷା କରିବାକୁ ବାଧ୍ୟ କରାଯାଉଛି ଏବଂ ଏହାକୁ ବୈଧ ବୋଲି କୁହାଯାଇଛି । ତେବେ ଫାଇଭ୍ ଟି ଯୋଜନା କାର୍ଯ୍ୟକାରୀ ହେବା ପରେ ସାମ୍ନାକୁ ଆସିଛି ଏହାର କିଛି ତ୍ରୁଟି ବିଚ୍ୟୁତି ।

ଡାକ୍ତରଖାନା ଓ ଥାନାରେ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବାକୁ ମାସେ ପୂରିବାକୁ ବସିଛି । ତେବେ ରାଜ୍ୟର ସବୁଠୁ ବଡ଼ ମେଡିକାଲରେ ବି ଜଳଜଳ ହୋଇ ବାରି ହୋଇ ପଡୁଛି ବ୍ୟବସ୍ଥାରେ ଥିବା ତ୍ରୁଟିବିଚ୍ୟୁତି । ମାଗଣାରେ ଔଷଧ ଦିଆଯାଉଛି, ମାଗଣାରେ ଡାକ୍ତରୀ ପରୀକ୍ଷା କରାଯାଉଛି । ହେଲେ ଯେତେ ସଂଖ୍ୟକ ରୋଗୀ ହସପିଟାଲକୁ ଆସୁଛନ୍ତି, ସେହି ତୁଳନାରେ କାଉଣ୍ଟର ନାହିଁ । କଟକ ବଡ଼ ମେଡିକାଲର ନିଦାନ କେନ୍ଦ୍ର ଉପରେ ଥରେ ନଜର ପକାନ୍ତୁ । ସରକାରଙ୍କ ଯୋଜନା ଅନୁଯାୟୀ ଏହିଠାରେ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା ନକଲେ, ଅନ୍ୟ ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ଡାକ୍ତର । ତେଣୁ ରକ୍ତ ନମୂନା ପରୀକ୍ଷା ଠାରୁ ଆରମ୍ଭ କରି ଏକ୍ସ-ରେ, ଅଲଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସବୁଠୁ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍ ।

ସେପଟେ ଏସସିବି ଅଧିକ୍ଷକ କହିଛନ୍ତି, ରୋଗୀଙ୍କ ସଂଖ୍ୟା ବଢ଼ିଛି, ତେଣୁ ଅଧିକ ନିରାମୟ କେନ୍ଦ୍ର ଓ ନିଦାନ କେନ୍ଦ୍ର ଖୋଲିବା ସହ ଅଧିକ କର୍ମଚାରୀ ନିଯୁକ୍ତି ଆବଶ୍ୟକ ହୋଇପଡ଼ିଛି । ଆମେ ଏ ନେଇ ସରକାରଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ଏସସିବି ଅଧିକ୍ଷକ । ଗୋଟିଏ ପଟେ ମୋ ସରକାର ଯୋଜନା ଲାଗୁ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ସରକାର, ଅନ୍ୟପଟେ ହସପିଟାଲର ଭିତିଭୂମି ଏବେ ବଡ଼ ଆହ୍ୱାନ ହୋଇ ସାମନାକୁ ଆସୁଛି ।