SCBରେ ପଙ୍ଖା ପଡି ବୁଦ୍ଧାଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା, ମୃତଦେହକୁ ରଖି ଧାରଣା ଦେଲେ ସଂପର୍କୀୟ । 

386
କନକ ବ୍ୟୁରୋ: କଟକ ବଡ ମେଡିକାଲରେ ପଙ୍ଖା ପଡି ବୁଦ୍ଧାଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା । ମୃତଦେହକୁ ରଖି ଧରଣା ଦେଲେ ମୃତକଙ୍କ ସଂପର୍କୀୟ । ୨ଦିନ ତଳେ ଜଣେ ମହିଳା କଟକ ଏସସିବିର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଉପରେ ଛିଣ୍ଡି ପଡିଥିଲା ଫ୍ୟାନ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ହସ୍ପିଟାଲ ବିରୋଧରେ ଧାରଣା ଦେଇଛନ୍ତି ମୃତଙ୍କ ପରିବାର ଲୋକ ।
ମୃତ ମହିଳା ଜଣଙ୍କ ଯାଜପୁର ଜିଲ୍ଲା କୃଷ୍ଣନଗର ଗ୍ରାମର ପାର୍ବତୀ ଦାଶ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ତ ଘଟିଥିଲା। ଏଥିରେ ପାର୍ବତୀ ଆହତ ହୋଇଥିଲେ । ମାର୍ଚ୍ଚ ୫ ତାରିଖରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେ ସର୍ଜରୀ ବର୍ଣ୍ଣ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ ।
କିନ୍ତୁ ମାର୍ଚ୍ଚ ୮ ତାରିଖରେ ଚିକିତ୍ସାଧୀନ ପାର୍ବତୀଙ୍କ ଉପରେ ଏକ ଫ୍ୟାନ ଖସି ପଡ଼ିଥିଲା । ଏଥିରେ ସେ ଗୁରୁତର ହୋଇଥିଲେ । ମେଡିକାଲ ପକ୍ଷରୁ ତାଙ୍କୁ ଏସ‌ସିବି ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପୁଅ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାରେ ଜାତୀୟ ମାନବଧିକାର କମିସନ କ୍ଷୋଭ ପ୍ରକାଶ କରିବା ସହିତ ଘଟଣା ସମ୍ପର୍କରେ ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନି‌ର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।