ଏସସିବିକୁ ‘ଏମ୍ସ ପ୍ଲସ’ କରିବା ପାଇଁ ୫୦୦ କୋଟିର ବ୍ୟୟବରାଦ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ପାଇଁ ବଜେଟରେ ୯୧୬୪ କୋଟି

121

ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି।

ଏସସିବିକୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠା ନେଇ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାର ୫ ଶହ କୋଟି ଟଙ୍କା ବ୍ୟୟରେ ଏସସିବିକୁ ଏକ ୫ହଜାର ଶଯ୍ୟାବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତିତ କରିବା ପାଇଁ ଏକ ବୃହତ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଦେଶର ସବର୍ବୃହତ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ହେବ। ଏଥିପାଇଁ ୨୦୨୧-୨୨ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି।

ଏହା ସହ ସାବର୍ଜନୀନ ଭାବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧ ଶହ ୬୪ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏ ମଧ୍ୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ହଜାର ୩ ଶହ ୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ” ଅଧିନରେ ସ୍ଵାସ୍ଥ୍ୟ‌ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇଦେବା ପାଇଁ ୧ ହଜାର ୫ ଶହ ୭୨କୋଟି ଟଙ୍କାର ବ୍ୟୟବରାଦ କରାଯିବା ସହ ଜାତୀୟ ସ୍ଵାସ୍ଥ୍ୟ ମିଶନ” ଅଧିନରେ ୧ ହଜାର ୭ ଶହ ୫୫କୋଟି ଟଙ୍କା ଏବଂ “ନିମର୍ଳ” ଯୋଜନା ଅଧିନରେ ୩ ଶହ ୭୦କୋଟି ଟଙ୍କା ବ୍ୟୟବରାଦ।