ଚାକିରି ଦେବା ନାଁରେ ଆଇଟି ଇଞ୍ଜିନିୟରଙ୍କ ମହାଠକେଇ। ଅର୍ପିତ ପାଞ୍ଚାଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା ଇଓଡବ୍ଲ୍ୟୁ।

130

କନକ ବ୍ୟୁରୋ: ଦେଶର ପ୍ରାୟ ୫୦ ହଜାର ଯୁବକ-ଯୁବତୀଙ୍କୁ ଚାକିରି ଦେବା ନାଁରେ ଲୁଟ କରିଥିବା ଏକ ବଡ଼ ଠକେଇ ରାକେଟର ଆଇଟି ମୁଖ୍ୟ । ଆଇଟିରେ ବିଟେକ୍ କରିଥିବା ଏହି ଯୁବକ ଏବେ ଇଓଡବ୍ଲ୍ୟୁ ପଞ୍ଝାରେ । ମଧ୍ୟପ୍ରଦେଶରୁ ଗିରଫ ହୋଇଥିବା ଅର୍ପିତ ପାଞ୍ଚାଲଙ୍କୁ ଟ୍ରାଂଜିଟ ରିମାଣ୍ଡରେ ଜେରାକରୁଛି ଇଓଡବ୍ଲ୍ୟୁ ।

ନିଯୁକ୍ତି ଆଶାରେ ଚାକିରି ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍ କରି ମିଛ ବିଜ୍ଞାପନ ଜରିଆରେ ଜାଲ ବୁଣୁଥିଲେ ମାଷ୍ଟରମାଇଣ୍ଡ । ଖବରକାଗଜ ଗୁଡ଼ିକରେ ବିଜ୍ଞାପନ ଦେବା ସହ ୱେବସାଇଟ୍ ଜାରିଆରେ ଚାକିରି ଆବେଦନ ପାଇଁ କୁହାଯାଉଥିଲା । ଯେଉଁ ୱେବସାଇଟ୍ ପ୍ରସ୍ତୁତ କରୁଥିଲା ଗିରଫ ଅର୍ପିତ ପାଞ୍ଚାଲ । ୱେବସାଇଟ୍ ଦେଖିବାକୁ ଅବିକଲ ସରକାରୀ ୱେସାଇଡ୍ ଭଳି ଲାଗୁଥିଲା । ୯ଟି ନକଲି ୱେବସାଇଟ୍ ପ୍ରସ୍ତୁତ କରିଥିଲା ଅର୍ପିତ । ଯେଉଁଥିରୁ ୪ଟି ୱେବସାଇଟ୍, ନିଯୁକ୍ତି ଠକେଇ ପାଇଁ ବ୍ୟବହାର ହେଉଥିଲା । ଏହି ୱେବସାଇଟକୁ ଯାଇ ଚାକିରି ଆବେଦନ କରୁଥିବା ଆଶାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ।

ଗିରଫ ଏହି ଯୁବକଠାରୁ ୨ଟି ଲାପଟପ ଏବଂ ମୋବାଇଲ ଜବତ ହୋଇଥିବା ବେଳେ ପୁରା ରାକେଟରେ ବ୍ୟବହାର ହୋଇଥିଲା ହଜାରେରୁ ଅଧିକ ସିମ୍ । ସୂଚନା ଅନୁସାରେ ଓଡ଼ିଶା ଓ ଗୁଜରାଟରୁ ୨୨ ହଜାରରୁ ଅଧିକ ଯୁବକ-ଯୁବତୀ ଠକେଇର ଶିକାର ହୋଇଛନ୍ତି । ଓଡ଼ିଶା, ଗୁଜରାଟ ସମେତ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ସର୍ବାଧକ ଯୁବକ-ଯୁବତୀ ଏହି ଠକେଇ ଗ୍ୟାଙ୍ଗର ଶିକାର ହୋଇଛନ୍ତି ।

ଏହି ଘଟଣାରେ କିଏ କିଏ ସଂପୃକ୍ତ ଅଛନ୍ତି ? ଓଡ଼ିଶାରୁ କିଏ ସହଯୋଗ କରୁଥିଲେ ? ନିଯୁକ୍ତି ନାଁରେ ମୋଟ୍ କେତେ ଟଙ୍କାର ଠକେଇ ହୋଇଛି? ସେନେଇ ଚାଲିଛି ଖୋଳତାଡ଼ ।