କନକ ବ୍ୟୁରୋ : ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କି ? ନଭେମ୍ବର ୯ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୦୧୬ରେ ମୋଦୀ ସରକାର କରିଥିବା ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତା ସମ୍ପର୍କରେ ଆଗତ ଏକ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ନଭେମ୍ବର ୯ରେ କରିବେ । ବିଭିନ୍ନ ସମୟରେ ଏପରି ନିଷ୍ପତ୍ତି ଦେଶର ଆର୍ଥିକ ସମସ୍ୟା ବଢାଇଛି ବୋଲି ବିରୋଧୀଙ୍କ ସମେତ ଅନେକ ଅର୍ଥନୀତିଜ୍ଞ କହିଛନ୍ତି । ଯାହାକୁ ଶାସକ ଦଳର ନେତା ଖାରଜ କରି ଆସିଛନ୍ତି । କଳାଟଙ୍କା ବିରୋଧର ଏହା ଏକ ବଡ ପଦକ୍ଷେପ ବୋଲି ବିଜେପି କହି ଆସୁଛି । ଏହାରି ଭିତରେ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ।

Advertisment

ଏହି ମାମଲାକୁ ତାଲିକାଭୁକ୍ତ କରି କୋର୍ଟ କହିଛନ୍ତି ଯେ ସରକାରୀ ନୀତି ନିର୍ଣ୍ଣୟକୁ ନେଇ କୋର୍ଟ କେତେ ଦୂର ଚ୍ୟାଲେଞ୍ଜ ଦେଇ ପାରିବେ ସେ ନେଇ ଥିବା ‘ଲକ୍ଷ୍ମଣ ରେଖା’ ସମ୍ପର୍କରେ ଅଦାଲତ ସଚେତନ ଅଛନ୍ତି  । ଏ ସମ୍ପର୍କରେ ଆବଶ୍ୟକ ଫାଇଲ ପ୍ରସ୍ତୁତ ରଖିବାକୁ କୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି  । ୨୦୧୬ ମସିହା ନଭେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ବିମୁଦ୍ରୀକରଣ ଘୋଷଣା କରିଥିଲେ  । ଘୋଷଣା ଅନୁଯାୟୀ, ୧୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ କରାଯାଇଥିଲା  । କଳାଧନ ବିରୋଧରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ  । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା  । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥଲା । ଆଉ କାରବାର ପ୍ରଭାବିତ ହୋଇଥିଲା ।