ଫ୍ଲୋର ଟେଷ୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ଉଦ୍ଧବ । ଆଜି ସନ୍ଧ୍ୟା ୫ଟାରେ ଶୁଣାଣି ।

167

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜ୍ୟପାଳ ଭଗତ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଫ୍ଲୋର ଟେଷ୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ ଠାକରେ । ଫ୍ଲୋର ଟେଷ୍ଟକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନକୁ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟା ୫ଟାରେ ଏହାର ଶୁଣାଣିି କରିବାକୁ ଘୋଷଣା କରିଛନ୍ତି ।


ମହାରାଷ୍ଟ୍ର ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶ ବିରୋଧରେ ଶିବସେନାର ଆବେଦନର ଶୁଣାଣି ଉପରେ ଆଜି ଅପରାହ୍ନ ୫ଟାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟରୀ ବୁଧବାର ସକାଳେ ଏକ ଲିଖିତ ନିର୍ଦ୍ଦେଶରେ କହିଛନ୍ତି ଯେ ‘ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସ୍ଥା ଭୋଟର ଏକମାତ୍ର ଏଜେଣ୍ଡା ସହିତ ଜୁନ୍ ୩୦ ରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବ ଏବଂ ଯେକୌଣସି ପରିସ୍ଥିତିରେ ଅପରାହ୍ନ ୫ଟାରେ ଫ୍ଲୋର ଟେଷ୍ଟ ପ୍ରକ୍ରିୟା ଶେଷ ହେବ’। ହେଲେ ଏହାକୁ ଚ୍ୟାଲେଞ୍ଜ କରିଛି ଶିବସେନା । ଦଳର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭିଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ସରକାରଙ୍କ ପରାମର୍ଶଦାତା ସିଂଘଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଫ୍ଲୋର ଟେଷ୍ଟ ବେଆଇନ କାରଣ ଏଥିରେ ଅଯୋଗ୍ୟତାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ।