ମହାରାଷ୍ଟ୍ରରେ ମହାସଙ୍କଟ । ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ଯାଏଁ ଆଶ୍ୱସ୍ତି

113

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଜାରି ରହିଛି ମହାସଙ୍କଟ । ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ କିଛି ସମୟ ପାଇଁ ଆଶ୍ୱସ୍ତି ମିଳିଛି । ଜୁଲାଇ ୧୨ ତାରିଖ ଯାଏଁ ସେମାନଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଏହି ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ।

ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରି କୋର୍ଟ ଉପବାଚସ୍ପତି, ଶିବସନାର ମୁଖ୍ୟ ସଚେତକ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଶିବ ସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଉପବାଚସ୍ପତି ନରହରି ଜରିୱାଲ ଯେଉଁ ନୋଟିସ ଦେଇଥିଲେ ତାହାକୁ ଚ୍ୟାଲେଞ୍ଜ କରି ଏହି ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପର୍ଦ୍ଦିୱାଲାଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରି ଏଭଳି ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

ସେପଟେ ଉଦ୍ଧବ ଠାକେରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ମାଗିପାରନ୍ତି ଛୋଟିଆ ଦଳ । ଅନ୍ୟପଟେ ଫଡନାବିସଙ୍କ ଘରେ ବିଜେପିର କୌର କମିଟି ବୈଠକ ହୋଇଥିବା ବେଳେ ଏଥିରେ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନଥିବା ବିଜେପି ପକ୍ଷରୁ କୁହାଯାଇଛି ।