ମହାନଦୀ ବିବାଦରେ ଓଡ଼ିଶାକୁ ଆଶ୍ୱସ୍ତି! କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ଗୋଟିଏ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କର

22

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ମାମଲାରେ ଓଡିଶାକୁ ଆଶ୍ୱସ୍ତି । ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟର ଦାବିକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ମାସେ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ନେଇ ବିଜ୍ଞପ୍ତି ଜାରି କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ରକୁ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି । ବିଚାରପତି ଏସଏ ବବଡେ ଓ ବିଚାରପତି ଏଲ୍ ନାଗେଶ୍ୱର ରାୱଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ଜଳବିବାଦ ନେଇ ଉଭୟ ଛତିିଶଗଡ ଓ ଓଡିଶା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଗତ ୧୬ ତାରିଖରେ ଛତିଶଗଡ ପକ୍ଷରୁ ଦାଖଲ ସତ୍ୟପାଠରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ଦାବି କରାଯାଇଥିଲା ।

ତେବେ ଏହା ପୂର୍ବରୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କହିଥିଲେ ସୁଦ୍ଧା ଏଥିପ୍ରତି କର୍ଣ୍ଣପାତ କରିନଥିଲେ କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ମନ୍ତ୍ରାଳୟ ନିଷ୍ପତି ନେଇଥିଲା କି ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ନାହିଁ । ତେଣୁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ୍ ଅନୁସାରେ ଟ୍ରିବ୍ୟୁନାଲ ଗଠନ କରାଯାଇ ମାମଲାର ସମାଧାନ କରାଯିବ । କିନ୍ତୁ ଏଥିରୁ କେନ୍ଦ୍ର ସରକାର କିପରି ଓହରିଗଲେ ତାକୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି କେନ୍ଦ୍ର ସରକାର ବାରମ୍ବାର ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ କହୁଥିବା ବେଳେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ କରି ସମାଧାନ କରିବାକୁ ଜିଦ୍ ଧରି ବସିଛନ୍ତି ।