ବ୍ୟାଙ୍କ ଲୁଟିଲେ ବ୍ୟାଙ୍କ ମ୍ୟାନେଜର୍ ! ହଡପ କଲେ ୮୪ ଲକ୍ଷ ଟଙ୍କାର କଏନ୍ ।

325

ନିଜ ଟଙ୍କାକୁ ସୁରକ୍ଷିତ ରଖିବାକୁ ଲୋକମାନେ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରି ରଖିଥାନ୍ତି । କିନ୍ତୁ ଯଦି ବ୍ୟାଙ୍କରୁ ହିଁ ଆପଣଙ୍କ ଟଙ୍କା ଗାୟବ ହୋଇଯିବ, ତେବେ ଆପଣ କଣ କରିବେ । ଏଭଳି ଏକ ଘଟଣା ପଶ୍ଚିମବଙ୍ଗ ମେମାରି ସ୍ଥିତ ଏସବିଆଇ ବ୍ରାଞ୍ଚରେ ଘଟିଛି । ବ୍ୟାଙ୍କର ଜଣେ ସିନିୟର ଆସିଷ୍ଟାଣ୍ଟ ମ୍ୟାନେଜର୍ ସାଜିଛନ୍ତି ଚୋର । ମ୍ୟାନେଜର ଜଣଙ୍କ ୮୪ ଲକ୍ଷ ଟଙ୍କାର କଏନ୍ ଚୋରି କରିନେଇଛନ୍ତି । କିନ୍ତୁ ୮ ବର୍ଷ ଧରି ଏସବିଆଇରେ କାର୍ଯ୍ୟ କରୁଥିବା ଏହି ମ୍ୟାନେଜରଙ୍କ ଉପରେ କାହାର ହେଲେ ମଧ୍ୟ ସନ୍ଦେହ ହେଲା ନାହିଁ । ଅଡିଟ୍ ହେବା ପରେ ମାମଲାର ଖୁଲାସା ହୋଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ ରହିଛି ଯେ, ୩୫ ବର୍ଷୀୟ ତାରକ ଜାୟସୱାଲ୍ ଲଟେରୀ ଖେଳରେ ଚୋରି କରାଯାଇଥିବା ଟଙ୍କାର ବ୍ୟବହାର କରିଥିଲେ । ଏହି ଚୋରି ସେ ଗତ ୧୭ ମାସ ମଧ୍ୟରେ କରିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ସେ ୮୪ ଲକ୍ଷ ଟଙ୍କା ଚୋରି କରିଛନ୍ତି । ଆଉ ଏହି ସବୁ ଟଙ୍କା କଏନ୍ ଥିଲା ବୋଲି ଜଣାପଡିଛି ।

ତେବେ ଯଦି କୁହାଯିବ ଯେ, ସେ କେବଳ ୧୦ ଟଙ୍କିଆ କଏନ୍ ଚୋରି କରିଛନ୍ତି ବୋଲି, ତେବେ ୧୭ ମାସ ପର୍ଯ୍ୟନ୍ତ ସେ ପ୍ରତିଦିନ ୨ ହଜାର ଟଙ୍କାର କଏନ୍ ଚୋରି କରିଛନ୍ତି । ଯାହାକି ପାଖାପାଖି ୮୪ ଲକ୍ଷ ଟଙ୍କା ହେବ । ଶନିବାର ସ୍ଥାନୀୟ ଅଦାଲତ ତାଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଇଦେଇଛି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାୟସୱାଲ ନିଜେ ତାଙ୍କ ଦୋଷ ସ୍ୱୀକାର କରିବା ସହ ସବୁ ଟଙ୍କା ଲଟେରୀ ଟିକେଟ୍ କିଣିବାରେ ଲଗାଇ ଦେଇଛନ୍ତି ବୋଲି ଅଦାଲତରେ ମାନିଛନ୍ତି ।