୨୦୦୦ ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା ଆରମ୍ଭ : ଥରକେ ୨୦ ହଜାର ଟଙ୍କା ଯାଏଁ କରିପାରିବେ ବଦଳ

107

କନକ ବ୍ୟୁରୋ : ଆରମ୍ଭ ହେଲା ୨ହଜାର ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା । ବ୍ୟାଙ୍କ ଖୋଲିବା ସହ ଲୋକେ ନିଜ ପାଖରେ ଥିବା ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ପହଂଚିବା ଆରମ୍ଭ କରିଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୋଟକୁ ବଦଳାଇବା ପାଇଁ ଗାଇଡଲାଇନ୍ ଜାରି କରିଛି । ଜଣେ ବ୍ୟକ୍ତି ଏକାଥରକେ ୨୦ହଜାର ଟଙ୍କା ବ୍ୟାଙ୍କରେ ନୋଟ୍ ବଦଳାଇ ପାରିବ ।

ସେହିପରି ବ୍ୟାଙ୍କ ଆକାଉଂଟରେ ୨ହଜାର ଟଙ୍କିଆ ନୋଟ୍ ଜମା ମଧ୍ୟ କରିବା ପାଇଁ କୌଣସି ଲିମିଟ୍ ନଥିବା କହିଛନ୍ତି ବ୍ୟାଙ୍କ କର୍ତୃପକ୍ଷ । ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ କୌଣସି ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ ବୋଲି ଆରବିଆଇ ସୂଚନା ଦେଇସାରିଛି । ତେବେ ୫୦ହଜାର ଟଙ୍କାରୁୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡିବ । ଭୁବନେଶ୍ୱର ଏସବିଆଇ ମୁଖ୍ୟ ଶାଖାରେ ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଓଡ଼ିଶାର ଏସବିଆଇ ପାଖରେ ୧୨ହଜାର କୋଟି ଟଙ୍କା ମହଜୁଦ ରହିଛି । ଏସବିଆଇର ୬୪ଟି କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁତ ରହିଛି । ରାଜ୍ୟରେ ଥିବା ସମସ୍ତ ୮୯୦ଟି ଶାଖାରେ ଏସବିଆଇ ନୋଟ୍ ବଦଳାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା । ସେହିପରି ଓଲିଉଡର ବରିଷ୍ଠ ହାସ୍ୟଭିନେତା ହରିହର ମହାପାତ୍ର ମଧ୍ୟ ବ୍ୟାଙ୍କକୁ ଯାଇ ୨ ହଜାର ଟଙ୍କିଆ ନୋଟ ଫେରାଇଛନ୍ତି ।