ସାଇବର କ୍ରାଇମରୁ କେମିତି ରହିବେ ସତର୍କ ? ଅନଲାଇନ୍ ଠକେଇରୁ ବର୍ତ୍ତିବେ କେମିତି ? ସତର୍କ କରାଇଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ।

2,443

କନକ ବ୍ୟୁରୋ : ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ସାଇବର କ୍ରାଇମରୁ କେମିତି ରହିବେ ସତର୍କ ? ଅନଲାଇନ୍ ବ୍ୟାଙ୍କିଂ ଏବଂ ଡିଜିଟାଲ୍ ଟ୍ରାଞ୍ଜାକସନ୍ ଅତ୍ୟନ୍ତ ନିରାପଦ ଏବଂ ସହଜ ପଦ୍ଧତି । କିନ୍ତୁ ଏଥିରେ ବେଳେ ବେଳେ ଠକାମିର ଶିକାର ହେବାର ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡିକ ଆପଣଙ୍କୁ ସାଇବର କ୍ରାଇମ୍ ଏବଂ ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ ସତର୍କ କରାଇଥାନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ଅଧିକରୁ ଅଧିକ ଲୋକ ଅନଲାଇନ୍ ମାଧ୍ୟମ ଉପରେ ନିର୍ଭରଶୀଳ ହୋଇଥିବାରୁ, ଠକେଇ ମାମଲା ବଢି ବଢି ଚାଲିଛି ।

ସାଇବର କ୍ରାଇମ୍ ନେଇ କ୍ରମାଗତ ଭାବେ ନିଜ ଗ୍ରାହକଙ୍କୁ ସତର୍କ କରାଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏସବିଆଇ ପକ୍ଷରୁ କୁହାଯାଇଛି, ଅନଲାଇନରେ ହେଉ କିମ୍ବା ସିଧାସଳଖ କୌଣସି ଅଜଣା ଲୋକଙ୍କୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ । ଏହା ସହ କୌଣସି ଅଦରକାରୀ ଆପ୍ ଡାଉନଲୋଡ କରନ୍ତୁ ନାହିଁ । କେୱାଇସି ଅପଡେଟ୍ ପାଇଁ ବ୍ୟାଙ୍କ କୌଣସି ଲିଙ୍କ୍ ପଠାଇନଥାଏ । ଏଥିପାଇଁ କେହି ଆପଣଙ୍କୁ କଲ୍ କରି କିଛି ବି ତଥ୍ୟ ମାଗିଲେ, ଆପଣ ଦିଅନ୍ତୁ ନାହିଁ ।

ଫ୍ରଡ କଲ୍ ପ୍ରତି ସାବଧାନ ରୁହନ୍ତୁ । ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ନିଜକୁ ବ୍ୟାଙ୍କ ଅଧିକାରୀ, ଆରବିଆଇ, ପୋଲିସ, ସରକାରୀ ଅଧିକାରୀ କହି କଲ୍ କରୁଥିବା ବ୍ୟକ୍ତିଙ୍କ ଠାରୁ ସାବଧାନ୍ ରୁହନ୍ତୁ । ଏପରିକି ଆପଣଙ୍କ ସମ୍ପର୍କୀୟ ସାଜି ମଧ୍ୟ ଏହି ଠକମାନେ ଆପଣଙ୍କୁ କଲ୍ କରିପାରନ୍ତି । ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯେପରିକି ଜନ୍ମତାରିଖ, ଡେବିଟ୍ କାର୍ଡ ନମ୍ବର, ଇଂଟରନେଟ୍ ବ୍ୟାଙ୍କିଂ ୟୁଜର୍ସ ଆଇଡି, ପାସୱାର୍ଡ, ଡେବିଟ୍ କାର୍ଡ ପିନ୍, ସିବିବି, ଓଟିପି କାହା ସହ ସେୟାର କରନ୍ତୁ ନାହିଁ ।

ଆପଣଙ୍କ ମୋବାଇଲକୁ ଅଜଣା ନମ୍ବରରୁ ଆସୁଥିବା ଲିଙ୍କ୍, କେବେ ବି ଓପନ୍ କରନ୍ତୁ ନାହିଁ । କୌଣସି ଅଜ୍ଞାତ ସୂତ୍ରରୁ ଆସୁଥିବା ଫୋନ୍ କଲ୍, କିମ୍ବା ଇମେଲ୍ ଆଧାରରେ କିଛି ବି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ । ଆପଣଙ୍କ ନମ୍ବରକୁ ଯଦି, ଅଜଣା ନମ୍ବରରୁ କୌଣସି ସ୍ୱତନ୍ତ୍ର ଅଫର କିମ୍ବା ଗିଫ୍ଟ ଦିଆଯିବା ନେଇ କିଛି ମେସେଜ୍ ଆସେ, ତେବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଲୋଭର ବଶବର୍ତୀ ହେଲେ ଆପଣ ବଡ ଧରଣର ଠକେଇର ଶିକାର ହୋଇପାରନ୍ତି ।