ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା : ୨ଦିନ ପରେ ବି ଅଭିଯୁକ୍ତ ପାଖେ ପହଞ୍ଚି ପାରୁନି ପୋଲିସ, ପରିବାର ଲୋକଙ୍କ ସହ ଛାତ୍ର ସଙ୍ଗଠନର ଧାରଣା

173

କନକ ବ୍ୟୁରୋ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଛି । ବିଭିନ୍ନ ମହଲରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଜଷ୍ଟିସ ଫର ରୁଚିକା ଦାବି ଜୋର ଧରିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେବି କଲେଜ ଗେଟ୍ ସମ୍ମୁଖରେ କିଛି ଛାତ୍ର ସଙ୍ଗଠନ ଧାରଣା ଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ରୁଚିକାଙ୍କ ବାପା, ମାଆ ଓ ଭଉଣୀ ।

ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ସେ ନୋ ଟୁ ରାଗିଂ, ୱି ୱାଂଟ ଜଷ୍ଟିସ ଫର ରୁଚିକା ମହାନ୍ତି ବ୍ୟାନର ଧରି ଧାରଣାରେ ବସିଛନ୍ତି ଛାତ୍ର ସଂଗଠନ । ରୁଚିକାଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତ୍ତୃପକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡଂଟଙ୍କ ଅବହେଳାକୁ ଦାୟୀ କରିଛନ୍ତି ଛାତ୍ର ସଂଗଠନ । ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ରୁଚିକା ମହାନ୍ତିଙ୍କୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ ।

ସେପଟେ ରୁଚିକା ରହୁଥିବା କାରୁବାକୀ ହଷ୍ଟେଲର ୬୦ଜଣ ଅନ୍ତେବାସିନୀଙ୍କୁ ପଚରା ଉଚରା କରାଯାଉଛି । ରୁଚିକାଙ୍କ ମାଆଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଥିବା ଜଣାପଡିଛି ।
ରୁଚିକାଙ୍କ ଆତ୍ମହତ୍ୟା ପରେ ବିଜେବି କଲେଜରେ ର୍ୟାଗିଂକୁ ନେଇ ମୁହଁ ଖୋଲିଛନ୍ତି କିଛି କଲେଜ ଛାତ୍ରଛାତ୍ରୀ । କହିଛନ୍ତି, ଏଠାରେ ରାଗିଂ ଜୋରଦାର ହୁଏ ଏବଂ ଅନେକ ରାଗିଂର ନିର୍ଯାତନାକୁ ସହିପାରନ୍ତି ନାହିଁ ।

ବିଜେବି କଲେଜର ମେଧାବୀ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଚାରିଆଡୁୁ ଦାବି ହେଉଥିବା ବେଳେ ତାଙ୍କ ଜନ୍ମମାଟିରେ ରୁଚିକାଙ୍କୁ ନ୍ୟାୟ ଦାବିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରୁଚିକାଙ୍କ ସହ ସ୍କୁଲ ଏବଂ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଏଭଳି କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି । ସାରା ରାଜ୍ୟର ଛାତ୍ରଛାତ୍ରୀମାନେ ରୁଚିକାକୁ ନ୍ୟାୟ ଏବଂ କଲେଜ କ୍ୟାମ୍ପସରୁ ର୍ୟାଙ୍ଗିଂ ହଟାଇବାକୁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି ତାଙ୍କର ସହପାଠୀ ।