କନକ ବ୍ୟୁରୋ : ସିବିଆଇଠୁ ସମନ ପାଇବା ପରେ ଏଭଳି କିଛି ଅନ୍ଦାଜରେ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁକଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସତ୍ୟପାଲ ସ୍ପଷ୍ଟ ଶଦ୍ଧରେ ନିଜକୁ ନିର୍ଦ୍ଦୋଷ କହୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ଏଥିସହ ବେଶ ଦମ୍ଭରେ ସହ ସତ୍ୟପାଳ କହିଛନ୍ତି ପରିସ୍ଥିତି କିଛି ବି ହେଉ ନା ସେ ଡରିବେ, ନା ସେ ହାରିବେ । ପୁଣି ଥରେ ଶୁଣିନିଅନ୍ତୁ ସିବିଆଇ ସମନ ପାଇବା ପରେ ସତ୍ୟପାଲଙ୍କ ପ୍ରତିକ୍ରିୟା କଣ ରହିଛି?ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ସିବିଆଇ କିଛି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଚାହୁଁଥିବାରୁ ଏଭଳି ସମନ କରିଛି    ।

Advertisment

ଶୁକ୍ରବାର ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ କରିଥିଲା ସିବିଆଇ । ୩୦୦ କୋଟି ଟଙ୍କାର ଲାଂଚ ଅଭିଯୋଗ ମାମଲାରେ ଜେରା କରିବାକୁ ସମନ କରିଛି ସିବିଆଇ    । ସିବିଆଇ ପକ୍ଷରୁ ସତ୍ୟପାଲ ମଲିକଙ୍କୁ ଏପ୍ରିଲ ୨୭ ଓ ୨୮ ତାରିଖରେ ତାଙ୍କ ନିଜର ସୁବିଧା ଅନୁଯାୟୀ ହାଜର ହେବାକୁ କୁହାଯାଇଛି । ଘଟଣାକୁ ନେଇ ବିଜେପି କହିଛି ଯଦି ଦୁର୍ନୀତିର କଥା ଉଠିଛି ତେବେ ତଦନ୍ତରେ ସତ୍ୟତା ସାମ୍ନାକୁ ଆସିବ ।ସେପଟେ ବିରୋଧୀ କହିଛି ଯିଏ ମୋଦି ସରକାରଙ୍କ ବିରୋଧରେ ସ୍ୱର ଉତୋଳନ କରେ ତାକୁ ତଦନ୍ତାକାରୀ ସଂସ୍ଥାର ଜେରାରର ସମ୍ମୁଖୀନ ହେବାକୁ ପଡେ ।  ଗୋଟେ ପଟେ ସତ୍ୟପାଲଙ୍କ ଉପରେ ୩ଶହ କୋଟି ଟଙ୍କା ଲାଂଚ ଅଭିଯୋଗ ଆସିଛି ଅନ୍ୟପଟେ ୨୦୨୧ ମସିହାରେ ଭିନ୍ନ ଏକ ଦାବି କରିଥିଲେ ।

କ’ଣ ଥିଲା ଘଟଣାକ୍ରମ?
- ଦୁଇଟି ଫାଇଲ ପାସ୍ ପାଇଁ ଲାଂଚ ଯଚାଯାଇଥିବା ସତ୍ୟପାଲଙ୍କ ଦାବି
- ଜମ୍ମୁକଶ୍ମୀର ରାଜ୍ୟପାଳ ଥିବାବେଳେ ଯଚାଯାଇଥିଲା ଲାଂଚ
- ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଜେନେରାଲ ଇନ୍ସୁରାନ୍ସ ଫାଇଲ ପାଇଁ ଲାଂଚ
- ୩୦୦ କୋଟି ଟଙ୍କାର ଲାଂଚ ଯଚାଯାଇଥିବା ଦାବି
- ଜମ୍ମୁକଶ୍ମୀର ରାଜ୍ୟପାଳ ଥିବା ବେଳେ ରିଲାଏନ୍ସର ବୀମା ଡିଲ ବାତିଲ କରିଥିଲେ ସତ୍ୟପାଲ
- ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା ଥିଲା
- ୨୦୧୮,ସେପ୍ଟେମ୍ବର ୧୮ତାରିଖରେ ଏହା କାର୍ଯ୍ୟକାରୀ କରାଯାଇଥିଲା
- ୩ଲକ୍ଷ ୫୦ହଜାର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା
- ବୀମା କାର୍ଯ୍ୟକାରୀ ହେବାର ମାସକ ଭିତରେ ଏହାକୁ ବାତିଲ କରିଦିଆଯାଇଥିଲା
- ଏଥିରେ ବ୍ୟାପକ ଦୁର୍ନୀତି ଓ ସେବା ଭଲ ନଥିବା କହି ସତ୍ୟପାଲ ଡିଲ ବାତିଲ କରିଥିଲେ
- ଏହାପରେ ଏଫଆଇଆର ରୁଜୁ କରାଯାଇଥିଲା
- ରିଲାଏନ୍ସ ଜେନେରାଲ ଇନ୍ସୁରାନ୍ସ ସହ ଟ୍ରିନିଟି ରିଇନ୍ସୁରାନ୍ସ ବୋକର୍ସକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା

ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କିଛି ମାସ ହେଲା କେନ୍ଦ୍ର ସରକାରଙ୍କୁ ଲଗାତର ଟାର୍ଗେଟ କରୁଛନ୍ତି । ଗତ ୧୪ତାରିଖରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ମଲିକ ପୁଲୱାମା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ମଧ୍ୟ ଦାୟୀ କରିଥିଲେ । ଏହା ପରେ ତାଙ୍କୁ ସିବିଆଇ ସମନ ମିଳିବା ପରେ ରାଜନୀତି ଜୋର ଧରିଛି ।