ମହାବୀର ମୃତ୍ୟୁ ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଧକ୍କା : ସାମୟିକ ସମୟ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଲା ଏନଟିସିଏ

123

କନକ ବ୍ୟୁରୋ : ସାତକୋଶିଆରେ ମହାବଳ ମହାବୀରର ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଛି ବଡ ଝଟକା । ବାଘ ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ଭାବେ ବନ୍ଦ୍ ରଖିବା ପାଇଁ ବଡ ନିଷ୍ପତି ନେଇଛି ଏନଟିସିଏ । ଏବଂ ଏନଟିସିଏ ସହ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପିସିସିଏଫ୍ ସନ୍ଦୀପ୍ ତ୍ରିପାଠି । ସେ କହିଛନ୍ତି ଏହି ବାଘ ବଂଶ ବୃଦ୍ଧି ପ୍ରକଳ୍ପ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ହୋଇଥିଲା । ମହାବୀରର ମୃତ୍ୟୁ ପ୍ରସଙ୍ଗରେ ସେ କହିଛନ୍ତି ଏହି ଘଟଣାର ତଦନ୍ତ କରିବେ ସାତକୋଶିଆ ଡିଏଫଓ । ତେବେ ମହାବୀରର ବେକର ଉପରିଭାଗରେ ଏକ କ୍ଷତ ଚିହ୍ନ ରହିଛି । ତା ସହିତ ଫାଶରେ ପଡିବା କଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ ।

ସେପଟେ ସାତକୋଶିଆରେ ମହାବଳ ବାଘର ମୃତ୍ୟୁ ନେଇ ସ୍ପଷ୍ଟୀକରଣ ରଖିଲା ବନବିଭାଗ । ବେକରେ ଆଘାତ ପରେ ସଂକ୍ରମଣ ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା ବନବିଭାଗ ଅନୁମାନ କରିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବାଘ କେମିତି ମଲା ତାହା ସ୍ପଷ୍ଟ ହେବ । ସେପଟେ ସାତକୋଶିଆ ବନଖଣ୍ଡ ଡିଏଫଓ ମହାବୀର ମୃତ୍ୟୁ ଘଟଣାର ତଦନ୍ତ କରିବେ । ବାରାହା କିମ୍ବା ହରିଣ ପାଇଁ ଲଗାଯାଇଥିବା ଫାଶରେ ମହାବୀର ପଡିଯାଇଥିଲା ବୋଲି କୁହାଯାଉଛି । ତେବେ କୌଣସି ଉପାୟରେ ମହାବୀର ଫାଶରୁ ଖସି ଯାଇଥିଲା ।

କିନ୍ତୁ ତାର ବେକରେ ରହିଯାଇଥିବା କ୍ଷତ ଶେଷରେ ତାର ଜୀବନ ନେଇଗଲା ବୋଲି ଅନୁମାନ କରିଛି ବନବଭାଗ । ସାତକୋଶିଆର ରାଇଗୁଡା ରେଞ୍ଜର କୋର ଏରିଆରେ ମହାବୀର ଚଳପ୍ରଚଳ କରୁଥିଲା । ବାଘୁଣୀ ସୁନ୍ଦରୀ ପରି ମହାବୀର କିନ୍ତୁ ଗାଁ ପାଖକୁ ଆସି କେବେ ଆତଙ୍କ ସୃଷ୍ଟି କରିନଥିଲା । ମହାବୀର କୋର ଏରିଆରେ ହିଁ ରହୁଥିଲା । କିନ୍ତୁ ହଠାତ୍ ମହାବୀରର ବେକରେ ଲଗାଯାଇଥିବା ରେଡିଓ କଲାର ସ୍ଥିର ହୋଇଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ମହାବୀର ଚଳପ୍ରଚଳ କରୁନାହିଁ । ଏହାର ପ୍ରାୟ ୨୪ ଘଂଟା ପରେ ବାଘର ହାର୍ଟବିଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହା ପରେ ମହାବୀରର ମୃତ୍ୟୁ ହେବା ନେଇ ସବୁକିଛି ସ୍ପଷ୍ଟ ହେଲା । ଗତ ଜୁନ୍ ୨୧ ତାରିଖରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ମହାବୀରକୁ ସାତକୋଶିଆ ଅଣାଯାଇଥିଲା । ଏବଂ ଏହି ଘଟଣା ପରେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନାରେ ଏକ ଧକ୍କା ଲାଗିଥିବା କୁହାଯାଉଛି ।