ଅର୍ଦ୍ଧସତ୍ୟ କହି ଚାଷୀଙ୍କୁ ଭ୍ରମିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସସ୍ମିତ କହିଲେ, ଫସଲ ବୀମା ଟଙ୍କା ଅଟକାଇ ରଖିଥିଲା କେନ୍ଦ୍ର, ବୀମା ଟଙ୍କା ଆଣିବାକୁ ନବୀନ କରିଥିଲେ ପ୍ରୟାସ । 

97

କନକ ବ୍ୟୁରୋ : ଚାଷୀଙ୍କ ଫସଲ ବୀମା ରାଶି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଚିଠି ଲେଖି ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ଏହାର ଜବାବ ରଖିଛି ବିଜେଡି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଭିତ୍ତିହୀନ । ଏହି ଚିଠିରେ ଅର୍ଦ୍ଧସତ୍ୟ ଲେଖାଯାଇ ଚାଷୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଛି । ୨୯ ଅଗଷ୍ଟ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିବା ନେଇ କାହିଁକି ଉଲ୍ଲେଖ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ? ଚିଠି ପ୍ରସଙ୍ଗ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ତୋମାର ଉଲ୍ଲେଖ କରିନଥିଲେ କାରଣ, ଚିଠି ବାବଦରେ ଉଲ୍ଲେଖ ହୋଇଥିଲେ ସ୍ୱଷ୍ଟ ହୋଇଯାଇଥାନ୍ତା ଯେ ମୁଖ୍ୟମନ୍ତ୍ରୀ ଚାପ ପକାଇବା କାରଣରୁ ଯେଉଁ ଫସଲବୀମା ଅର୍ଥ କେନ୍ଦ୍ର ଅଟକାଇ ରଖିଥିଲା  ତାହାକୁ ବାଧ୍ୟ ହୋଇ ରିଲିଜ କଲା ବୋଲି ।

ଓଡ଼ିଶାର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ  ମଧ୍ୟ ୯ ନଭେମ୍ବର ୨୦୨୨ରେ ଯେତେବେଳେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଥିଲେ ସେତେବେଳେ ଫସଲବୀମା ଯୋଜନା ଟଙ୍କା ଚାଷୀଙ୍କୁ ଦେବାକୁ ଦାବି ଜଣାଇଥିଲେ । କିନ୍ତୁ ସେ ବାବଦରେ ମଧ୍ୟ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିରେ ଉଲ୍ଲେଖ ନାହିଁ । ଏଭଳି କରି କଣ ଲୁଚାଇବାକୁ ଚାହୁଁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ  ବାରମ୍ବାର ପ୍ରଚେଷ୍ଟା ଓ ଚାପ ଯୋଗୁଁ ଅଟକି ଥିବା ଅର୍ଥ ଦେବାକୁ ପଡ଼ିବ । ଏ କଥା ଜଣାପଡିବା ଭୟରେ ଏ ସବୁ କଥା ଚିଠିରେ ଉଲ୍ଲେଖ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ। ୭ ନଭେମ୍ବର ୨୦୨୨  ଟେକ୍ନିକାଲ ଆଡଭାଇଜରି କମିଟି ବୀମା ପ୍ରସଙ୍ଗରେ ଅର୍ଡର ପାସ କରିଥିଲେ କିନ୍ତୁ ୧୫ ତାରିଖରେ କାହିଁକି ଟ୍ୱିଟ୍ କଲେ କେନ୍ଦ୍ର କୃଷିମନ୍ତ୍ରୀ । ଉପ-ନିର୍ବାଚନକୁ ପ୍ରଭାବିତ କରିବା ଓ ରାଜନୈତିକ ଫାଇଦା ଉଠାଇବା ଉଦ୍ଦେଶ୍ୟରେ ଏଭଳି ଟ୍ୱିଟ୍ କରାଯାଇନି ତ?

ଫସଲବୀମା ଯୋଜନା ଅଟକାଇ କେନ୍ଦ୍ର ବହୁତ ଖରାପ ଅବସ୍ଥାରେ ଛନ୍ଦି ହୋଇ ପଡିଛି । ଫସଲବୀମା ଟଙ୍କା କେନ୍ଦ୍ର ଅଟକାଇଛି ବୋଲି ଚାଷୀ ଜାଣିବା ପରେ ଏହାକୁ କିଭଳି ଲୋକଲୋଚନରୁ ଏଡାଇ ହେବ ସେଥିପାଇଁ ଚିଠି ନାଟକ ହୋଇଛି । ମୁଖ୍ୟମନ୍ତ୍ରୀ ବୀମା ଟଙ୍କା ଆଣିବାକୁ ପ୍ରୟାସ କରିଥିବା ବେଳେ କେନ୍ଦ୍ର ଅଟକାଇ ରଖିଥିଲା, ଏହାକୁ ଚାଷୀ ଜାଣି ସାରିଲେଣି । ଏହା ଜଣାପଡିବା ପରେ ରାଜ୍ୟରେ ଚାଷୀକୂଳ ସାମ୍ନାରେ ଅଡୁଆରେ ପଡିଛି ବିଜେପି ।   ଚାଷୀଙ୍କୁ ନେଇ ରାଜନୀତି କରାଯାଉ। ରାଜନୀତି ପାଇଁ ଅନେକ ପ୍ରସଙ୍ଗ ରହିଛି। ଚିଠି ଲେଖି ନିଜ ମୁଣ୍ଡର ଅଠା ରାଜ୍ୟ ସରକାରଙ୍କ ମୁଣ୍ଡରେ ବୋଲିବାକୁ ପ୍ରୟାସ କରିଛି କେନ୍ଦ୍ର।