ଜେଲରେ ସାରଥୀ ବାହାରେ ତାତି : ବାଙ୍କୀରେ ସାରଥୀଙ୍କ ସତସଙ୍ଗ ନେଇ ତାତିଲେ ଲୋକେ

42

କନକ ବ୍ୟୁରୋ : ଜେଲରେ ଥିବା ସାରଥୀଙ୍କ ନାଁରେ ବାଙ୍କୀରେ ସତସଙ୍ଗ ଚାଲିଛି । ଏନେଇ ଖବର ପ୍ରସାରଣ ପରେ ସାଧାରଣ ଲୋକମାନେ ତାତିଛନ୍ତି । ମେଡିକାଲ ଛକ ନିକଟରେ ଭଣ୍ଡ ସାରଥୀଙ୍କ ଫଟୋ ପୋଡାଜଳା କରିଛନ୍ତି ଉତ୍ୟକ୍ତ ଲୋକେ । ଚୌଦ୍ୱାରରେ ଜେଲରେ ସନ୍ତୋଷ ରାଉଳ ଥିବା ବେଳେ ବାଙ୍କୀରେ ସତସଙ୍ଗକୁ ବିରୋଧ କରିଛନ୍ତି ଲୋକେ । ଭବିଷ୍ୟତରେ ବାଙ୍କୀରେ ଏଭଳି କାର୍ଯ୍ୟକ୍ରମକୁ ଦୃଢ ବିରୋଧ କରାଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଯୌନ ନିର୍ଯ୍ୟାତନା ଏବଂ ଠକେଇ ଭଳି ସଂଗୀନ ମାମଲାରେ ଛନ୍ଦି ହୋଇଥିଲେ ସୁଦ୍ଧା ଲୋକଙ୍କ ମନରୁ ଯାଇନି ବାବା ମୋହ । ସାରଥୀଙ୍କୁ ଭଗବାନ ମାନି ବାଙ୍କୀରେ ଅନୁଷ୍ଠିତ ହୋଇଛି ସତସଙ୍ଗ । ସତେ ଯେମିତି ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି ସାରଥୀ । ବାଙ୍କୀରେ ହୋଇଥିବା ସାରଥୀ ସତସଙ୍ଗର ଚିତ୍ର ଦେଖିଲେ ଯେକେହି ବି ଦ୍ୱନ୍ଦ୍ୱରେ ପଡ଼ିଯିବ ଯେ, ଏହି ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ନେଇ ସାରା ଓଡ଼ିଶା ଦୋହଲି ଯାଇଥିଲା ।

ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇ ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ ବନ୍ଦି ହୋଇରହିଛନ୍ତି ସାରଥୀ, ଆଉ ଏପେଟ ବାଙ୍କୀରେ ଜମିଛି ବାରିମୁଳା ଆଶ୍ରମର ଆସର । ଠିକ୍ ସାରଥୀଙ୍କ ଶୈଳରେ ଚାଲିଛି ସତସଙ୍ଗ । ଉପସ୍ଥିିତ ଲୋକଙ୍କୁ ନୀତିବାଣୀ ଶୁଣାଉଛନ୍ତି ସାରଥୀଙ୍କ ଅନୁଗତ । ଏମିତିକି ଏବେବି ଲୋକଙ୍କ ଘରେ ପୂଜା ପାଉଛନ୍ତି ସାରଥୀ ଓରଫ୍ ସନ୍ତୋଷ ରାଉଳ । ଏକାଧିକ ମାମଲାରେ ଫଶି ରହିଥିବା ସାରଥୀଙ୍କୁ ୨ଟି ମାମଲାରେ ମିଳିଛି ସର୍ତ୍ତମୂଳକ ଜାମିନ୍ ।