ପୁଣି ଫେରିବେ ବିବାଦୀୟ ସାରଥୀ ବାବା । ଜୁଲାଇ ୧ରୁ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କରିବାକୁ ହାଇକୋର୍ଟଙ୍କ ଅନୁମତି ।

282

କନକ ବ୍ୟୁରୋ : ସାରଥୀ ବାବା । ଓଡିଶା ଇତିହାସରେ ବୋଧହୁଏ କୌଣସି ବାବାଙ୍କୁ ନେଇ ଏଭଳି କାହାଣୀ ସୃଷ୍ଟି ହୋଇନଥିବ ଯାହା ସାରଥୀଙ୍କ କ୍ଷେତ୍ରରେ ହୋଇଥିଲା । ସାରଥୀ ଦାବି କରୁଥିଲେ ତାଙ୍କ ପାଖରେ ଭଗବାନଙ୍କ ଶକ୍ତି ଅଛି । ହାତରୁ ବିଭୁତି ବାହାର କରିବା, ପାଦରୁ ମହୁ ଝରିବା, ସିମେଂଟ ଗାଈରୁ କ୍ଷୀର ବାହାର କରିବା ଭଳି ଅନେକ ଅଲୌକିକ ଶକ୍ତିର ଅଧିକାରୀ ବୋଲି ଦାବି କରୁଥିଲେ ବାବା ।

ଏହି ଘଟଣା ସାରଥୀଙ୍କ ଆତ୍ମଘୋଷିତ ଭଗବାନର ଜୀବନଶୈଳୀ ଧାରାକୁ ଓଲଟପାଲଟ କରିଦେଲା । ଯେଉଁ ବାବାଙ୍କୁ ଭକ୍ତ ଭଗବାନ ବୋଲି ମାନୁଥିଲେ, ସେହି ବାବା ଲୋକଙ୍କ ଆଗରେ ଭଣ୍ଡ ବନିଗଲେ । ଭକ୍ତର ବିଶ୍ୱାସ ସହ ଖେଳ ମହଙ୍ଗା ପଡିଗଲା । ଏହାପରେ ଯେଉଁ ଘଟଣା ଘଟିଲା ତାହା ସମସ୍ତେ ଜାଣନ୍ତି ।

ଘଟଣାର ୬ବର୍ଷ ପରେ ସାରଥୀ ବାବାଙ୍କ ପୁଣି ପ୍ରବଚନ ଆରମ୍ଭ ହେବ । ଏଥିପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଜଣେ ବ୍ରାହ୍ମଣ ଲୋକ ହୋଇଥିବାରୁ ପ୍ରବଚନ ହିଁ ଏକମାତ୍ର ରୋଜଗାରର ମାଧ୍ୟମ, ତେଣୁ ଅନୁମତି ମିିଳୁ ବୋଲି ବାବା ସାରଥୀ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଜୁଲାଇ ୧ ତାରିଖରୁ ସାରଥୀ ବାବା ପ୍ରବଚନ ଦେଇପାରିବେ ।

ଏହି ଖବର ପରେ ସାରଥୀଙ୍କ ଭକ୍ତ ମହଲରେ ଖୁସି ଖେଳିଯାଇଛି । ମିଠା ବାଂଟି ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଏବଂ ସାରଥୀଙ୍କ ବିରୋଧରେ ଯାହାବି ଅଭିଯୋଗ ଥିଲା ସେସବୁକୁ ଭୁଲିଯାଇଛନ୍ତି । କୋର୍ଟ ପ୍ରବଚନ ପାଇଁ ଅନୁମତି ଦେବା ସହ କେତେକ କଟକଣା ମଧ୍ୟ ଲାଗୁ କରିଛନ୍ତି । ସର୍ବାଧିକ ୨୦୦ଜଣ ଲୋକଙ୍କୁ ନେଇ ଏବଂ ସବୁ କୋଭିଡ ନିୟମ ମାନି ଏହି ପ୍ରବଚନର ଆୟୋଜନ ହୋଇପାରିବ ।