ପୂର୍ବତନ ସରପଞ୍ଚଙ୍କ ପିସି କାରବାର ! ଟଙ୍କା ନେଲେ ହେଲେ ଘର ଦେଲେନି, ଥାନାରେ ଅଭିଯୋଗ କଲେ ୨୨ଟି ଗାଁର ଲୋକ

162

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ପଂଚାୟତସ୍ତରରେ ପିସି କାରବାର ଅଭିଯୋଗ । ପୂର୍ବତନ ସରପଂଚଙ୍କ ବିରୋଧରେ ଥାନାରେ ଫେରାଦ ହେଲେ ୨୨ ଖଣ୍ଡ ଗାଁର ଲୋକ । ଟଙ୍କା ନେଇ ଗଲେ ଘର ଦେଲେ ନାହିଁ । ରାୟଗଡା କଲ୍ୟାଣସିଂହପୁର ବ୍ଲକ କରପା ପଂଚାୟତର ପୂର୍ବତନ ସରପଞ୍ଚ ବନ କାଡ୍ରାକାଙ୍କ ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଇନ୍ଦିରା ଆବାସ ଯୋଜନାରେ ଘର କରେଇ ଦେବା ପାଇଁ ଲୋକଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏ ପିସି ନେଇଥିଲେ ବନ କାଡ୍ରାକା ।

ଘର ଖଣ୍ଡେ ପାଇଁ ଆଦିବାସୀ ଦଳିତ ମଣିଷ ପେଟପାଟିକୁ ମାରି ସାଇତି ରଖିଥିବା ଟଙ୍କାକୁ ଦେଇଥିଲେ । କେହି କେହି ସୁନା ବିକି, ଜମି ବନ୍ଧା ରଖି ଟଙ୍କା ଦେଇଥିଲେ । ହେଲେ ଦଶନ୍ଧି ଧରି ପଂଚାୟତର ରାଜ୍ କରୁଥିବା ଏହି ପୂର୍ବତନ ସରଂପଚ ଗତ ନିର୍ବାଚନରେ ହାରିଯିବା ପରେ ଲୋକଙ୍କୁ ଘର ଯୋଗାଇ ଦେବା କଥା ଭୁଲିଗଲେ । ଘର ନମିଳିବାରୁ ଟଙ୍କା ଫେରାଇ ଦେବା ପାଇଁ ପୂର୍ବତନ ସରପଂଚଙ୍କୁ ବାରମ୍ବାର ଗୁହାରି କରି ନିରାଶ ହେବା ପରେ କଲ୍ୟାଣସିଂହପୁର ବ୍ଲକ ଓ ଥାନା ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ଗ୍ରାମବାସୀ । ବିଡିଓ ଅନୁପ ପଣ୍ଡାଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ସମାନ ଅଭିଯୋଗପତ୍ର ଥାନାରେ ମଧ୍ୟ ଦେଇଛନ୍ତି ।