ଶଯ୍ୟାଶାୟୀ ହୋଇ ପିଲାଙ୍କର ଗଢୁଛନ୍ତି ଜୀବନ । ଦୀର୍ଘ ୨୦ ବର୍ଷ ଧରି ବୁଣୁଛନ୍ତି ଶିକ୍ଷାର ଆଲୋକ । ହେଲେ ଏବେ ବି ସରକାରୀ ଯୋଜନାଠୁ ଦୂରରେ ସପନ ରାୟ ।

84

କନକ ବ୍ୟୁରୋ: ବିଛଣାରୁ ଭବିଷ୍ୟତ ଗଢା । ଆମେ କହୁଛୁ ଏମିତି ଜଣେ ଶିକ୍ଷକଙ୍କ କଥା, ଯିଏ ୨୦ ବର୍ଷ ଧରି ବିଛଣାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଚାଳ ଛପର ତଳେ ଶଯ୍ୟାଶାୟୀ ହୋଇ ମଧ୍ୟ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ନିଜ ଜୀବନ ସିନା ଏହି କୁଡିଆ ଭିତରେ ସୀମତ ହୋଇଯାଇଛି, କିନ୍ତୁ ଛୋଟଛୋଟ ପିଲାଙ୍କୁ ଦୁନିଆରେ ଆଗକୁ ବଢିବା ପାଇଁ ବୁଣୁଛନ୍ତି ଶିକ୍ଷାର ଆଲୋକ । ତେବେ ବିଡମ୍ବନା ରାଜ୍ୟ ସରକାରଙ୍କ ତମାମ ଯୋଜନା ସେହି ଶିକ୍ଷକଙ୍କ ନିକଟରେ ପହଂଚି ପାରିନାହିଁ ।

ଦଦରା ଘରେ ୪ ଫୁଟର ଛୋଟିଆ ଖଟ ଉପରେ ଶୋଇ, ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷାର ଆଲୋକ ବୁଣୁଛନ୍ତି ଜଣେ ଶିକ୍ଷକ । ବିଛଣାରୁ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ମାଲକାନଗିିରି କାଲିମେଳା ବ୍ଲକ ଏମଭି ୧୧୪ ଗାଁର ସପନ ରାୟ । ୨୦ ବର୍ଷ ଧରି ଶଯ୍ୟାଶାୟୀ ସପନ । ଦଶମରେ ପାଠପଢୁ ଥିବା ବେଳେ ଏକ ଦୁର୍ଘଟଣାର ଶିକାର ହେବାରୁ ଅଚଳ ହୋଇଯାଇଛି ମେରୁଦଣ୍ଡ । ଅଂଟା ଭାଙ୍ଗିଯିବାରୁ ଆଉ ବିଛଣାରୁ ଉଠି ପାରୁନାହାନ୍ତି । କିନ୍ତୁ ଜୀବନ ଯୁଦ୍ଧରେ ହାରମାନି ନାହାନ୍ତି ଏହି ଶିକ୍ଷିତ ଯୁବକ । ନିଜେ ପାଠ ପଢି ଚାକିରିଟିଏ କରିବାକୁ ଲକ୍ଷ୍ୟ ସିନା ପୂରଣ ହେଲାନି କିନ୍ତୁ ଗାଁ ପିଲାଙ୍କୁ ପାଠ ପଢାଇ ନିଜର ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଜାରି ରଖିଛନ୍ତି ଶିକ୍ଷାଦାନ ।

ପେଟର ଭୋକ ମେଂଟାଇବାକୁ ପିଲା ଦିନେ ମାଆଙ୍କ ସହ ପଥର ଫଟେଇବାକୁ ଯାଇଥିଲେ ସପନ । ଆଉ ପଥର ଅତଡା ଖସିବାରୁ ମାଟି ତଳେ ଚାପି ହୋଇଯାଇଥିଲେ ସପନ । ଆଉ ସେହି ପଥର ଅତଡା ତଳେ ଚାପି ହୋଇଗଲା ସପନଙ୍କ ସ୍ୱପ୍ନ । ପଥର ତଳେ ଚାପି ହୋଇଯିବାରୁ ଅଚଳ ହୋଇଗଲା ମେରୁଦଣ୍ଡ, ଅଭାବୀ ପରିବାରରେ ଜନ୍ମ ହୋଇଥିବାରୁ ଅଧାରେ ଅଟକିଗଲା ଚିକିତ୍ସା ଆଉ ଅଟକିଗଲା ତାଙ୍କ ଜୀବନ । ଅସହାୟ ଅବସ୍ଥାରେ ଏଇ କୁଡିଆରୁ କୁନି କୁନି ପିଲାଙ୍କୁ ପାଠ ପଢାଉଥିବା ସପନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ । କାରଣ ତାଙ୍କର ଆଧାର କାର୍ଡ ହୋଇ ପାରିନାହିଁ । ଆଧାର କାର୍ଡ ନଥିବାରୁ ନା ସ୍ୱାସ୍ଥ୍ୟ ଯୋଜନାର ସୁଫଳ ମିଳୁଛି, ନା ଭତ୍ତା କି ଆବାସ ଯୋଜନାରେ ଘରଟିଏ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନାନା ଲୋକାଭିମୁଖୀ ଯୋଜନା ରହିଛି ସତ । ତେବେ ସପନଙ୍କ ଭଳି ବ୍ୟକ୍ତିଙ୍କ ଉପରେ ବୋଧେ ନଜର ପକାଇ ପାରୁନାହାନ୍ତି ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ପ୍ରଶାସନିକ ବାବୁମାନେ ।