ପ୍ରକୃତି ପ୍ରେମରେ ସଂସ୍କୃତ ଶିକ୍ଷକ । ଲଗାଇ ଚାଲିଛନ୍ତି ୩୦ ହଜାର ଗଛ । 

96

କନକ ବ୍ୟୁରୋ: ବିଶ୍ୱରେ ବର୍ତ୍ତମାନ ସବୁଠାରୁ ବଡ ସଙ୍କଟ ଭାବେ ଉଭାହୋଇଛି ଜଳବାୟୁ ପରିବର୍ତ୍ତନ । ପରିବେଶ ନଷ୍ଟ ହେବା ଫଳରେ ଆମ ପୂର୍ବ ପୃଥିବୀର ରୂପ ବଦଳିସାରିଛି । ତେବେ ସବୁଠାରୁ ଅଧୁକ ଚିନ୍ତା ବଢାଇଛି ବୃକ୍ଷ ସଂଖ୍ୟା ହ୍ରାସ । ଜଙ୍ଗଲ ନଷ୍ଟ ହେବା ଯୋଗୁ ତାପମାନ ବୃଦ୍ଧି ହେଉଥିବା ବେଳେ ସେହି ସଂଖ୍ୟାରେ ଗଛ ଲଗାଯାଇପାରୁନାହିଁ । ତେବେ କିଛି ଜଣ ଏହିଭଳି ବ୍ୟକ୍ତି ରହିଛନ୍ତି ଯିଏ ନିଜ ଉଦ୍ୟମରେ ଜଙ୍ଗଲ ସୃଷ୍ଟି କରିଚାଲିଛନ୍ତି ।

ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ବିଜୟ କୁମାର ଭଟ୍ଟ । ପେସାରେ ସେ ଜଣେ ସଂସ୍କୃତ ଶିକ୍ଷକ । ଅସ୍ତରଙ୍ଗ ବ୍ଲକରେ ଥିବା ବେଳଭୂମି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଅବସ୍ଥାପିତ । ଶିକ୍ଷକତା ତାଙ୍କ ପେସା ହୋଇଥିଲେ ବି ନିଶା ତାଙ୍କର ଗଛ ଲଗାଇବା । ନିଜ ଉଦ୍ୟମରେ ଦୀର୍ଘ ୨୧ ବର୍ଷ ଧରି ସେ ଗଛ ଲଗାଇ ଚାଲିଛନ୍ତି । ଭିନ୍ନ ପ୍ରଜାତିର ପ୍ରାୟ ୩୦ ହଜାର ଗଛ ଲଗାଇଥିବା ବେଳେ ସେଥିରୁ କେବଳ ୧୦ ହଜାର ତାଳଗଛ ଚାରା ସେ ଲଗାଇଛନ୍ତି । ସମୁଦ୍ରତଟବର୍ତ୍ତୀ ଅଞ୍ଚଳ, ରାସ୍ତାକଡ, ନଦୀବନ୍ଧ କଡ ଏବଂ ଜଙ୍ଗଲ କ୍ଷୟ ହୋଇଥିବା ଅଞ୍ଚଳରେ ଏହି ସବୁ ଚାରାରୋପଣ ହୋଇଛି । ସ୍କୁଲ କାର୍ଯ୍ୟ ଶେଷ ହେବା ପରେ ଆଉ ଛୁଟି ଦିନରେ ନିଜର ପୁରାତନ ଛାତ୍ରମାନଙ୍କୁ ନେଇ ଗଛ ଲଗାଇଥାନ୍ତି ।

ବିଜୟ ନିଜ ସ୍କୁଲ ସହ ଅନ୍ୟାନ୍ୟ ସ୍କୁଲ ପରିସରରେ ମଧ୍ୟ ଗଛଲଗାଉଛନ୍ତି । ଗଛ ଲଗାଇବା ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା ସେ ନିଜ ପ୍ରାପ୍ୟରୁ ଖର୍ଚ୍ଚ କରିଥାନ୍ତି । ଏହା ସହ ପୁରାତନ ଛାତ୍ରମାନେ ମଧ୍ୟ ତାଙ୍କୁ ସହଯୋଗ କରିଥାନ୍ତି । ତେବେ ସେ କେବଳ ଗଛ ଲଗାଇବାରେ ନିଜ କାମ ଶେଷ କରିନାହାନ୍ତି, ଗଛର ରକ୍ଷଣାବେକ୍ଷଣ ସହ ତା ଉପରେ ସମ୍ପୂର୍ଣ୍ଣ ନଜର ରଖିଥାନ୍ତି । ଅସ୍ତରଙ୍ଗ ବ୍ଲକରେ ବିଭିନ୍ନ ସମୟରେ ଅଶାନ୍ତ ସମୁଦ୍ର ପାଇଁ ପ୍ରାକୃତିକ ଜଙ୍ଗଲ ଧୋଇହେବାରେ ଲାଗିଛି । ତେଣୁ ସେ ବିଶେଷ କରି ଜଙ୍ଗଲ କ୍ଷୟ ହୋଇଥିବା ଅଞ୍ଚଳରେ ଅଧିକ ବୃକ୍ଷରୋପଣ ଜାରିରଖିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଜଙ୍ଗଲର ସୁରକ୍ଷା ଏକାନ୍ତ ଆବଶ୍ୟକ । ଯେଉଁଭଳି ଭାବେ ବିଶ୍ୱରେ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି ଯଦି ଜଙ୍ଗଲ ସୃଷ୍ଟି କରାନଯାଏ ତେବେ ଆଗାମୀ ଦିନରେ ଜଟିଳ ପରିସ୍ଥିତିକୁ କେହି ଅଟକାଇପାରିବେ ନାହିଁ । ତେଣୁ ଆମେ ସମସ୍ତେ ଭଟ୍ଟ ସାରଙ୍କ ଭଳି ଅଧିକରୁ ଅଧିକ ଗଛ ଲଗାଇବା । ତେଣୁ ଆସନ୍ତୁ ଆମ ପୁରୁଣୀ ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀ ଗଢିବାର ସଙ୍କଳ୍ପ ନେବା ।