କନକ ବ୍ୟୁରୋ : ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ସଂଘର୍ଷ କରି ୯ ରନରେ ପରାସ୍ତ ହୋଇଛି । ବର୍ଷା ଯୋଗୁଁ ଖେଳ ୫୦ ଓଭର ବଦଳରେ ୪୦ ଓଭର ହୋଇଥିଲା । ନିର୍ଦ୍ଧାରିତ ଓଭରରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୨୪୯ ରନ କରିଥିଲା । ୨୫୦ ରନ୍ ଟାର୍ଗେଟକୁ ପିଛା କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୪୦ ରନ କରିବାରେ ସକ୍ଷମ ହୋଇଥିଲା ।

Advertisment

ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟାଟର କ୍ଲାସେନ ଏବଂ ମିଲରଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଏତେ ରନ କରିପାରିଥିଲା ଦଳ । ସେପଟେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୫୦ ରନ ଭିତରେ ଘରୋଇ ଦଳ ୪ଟି ୱିକେଟ୍ ହରାଇ ବ୍ୟାକଫୁଟକୁ ଚାଲିଯାଇଥିଲା । ପରେ ଶ୍ରେୟସ ଆୟର ଏବଂ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ବଳରେ ଦଳ ସଂଘର୍ଷ କରି ମ୍ୟାଚ ହାରିଯାଇଥିଲା । ସାମସନ ୩ଟି ଛକା ଏବଂ ୯ଟି ଚୌକା ସହାୟତାରେ ଅପରାଜିତ ୮୬ ରନର ପାଳି ଖେଳିଥିଲେ ।

ଶେଷ ଓଭରରେ ଦଳକୁ ଜିତିବା ପାଇଁ ୩୦ ରନ ଦରକାର ଥିବା ବେଳେ ସାମସନ ତିନିଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । କିନ୍ତୁ ତାହା ଦଳକୁ ବିଜୟୀ କରାପାରିନଥିଲା । ସୂଚନାଯୋଗ୍ୟ ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଛି । ଏପଟେ ଭାରତର ଦ୍ୱିତୀୟ ଟିମ ଦକ୍ଷିଣ ଆଫ୍ରିକା ସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଖେଳୁଛି । ତେବେ ଆସନ୍ତା ୯ ତାରିଖରେ ଦ୍ୱିତୀୟ ଦିନିକିଆ ମ୍ୟାଚ ରାଞ୍ଚିରେ ଖେଳାଯିବ ।