ସଂଜୟ ରାୱତଙ୍କ ବିଭିନ୍ନ ଠିକଣାରେ ଇଡିର ଚଢାଉ, ଜାଣନ୍ତୁ ମିଳିଲା କେତେ ସମ୍ପତ୍ତି ?

149

କନକ ବ୍ୟୁରୋ : କିଛି ଘଂଟାର ଚଢାଉ ପରେ ଶିବସେନା ସାଂସଦ ସଂଜୟ ରାୱତଙ୍କୁ ଇଡି ନିଜ ହେପାଜତକୁ ନେଇଛି । କୁହାଯାଉଛି କି ସଂଜୟଙ୍କୁ ଇଡି ଗିରଫ ବି କରିପାରେ । ସଦ୍ୟ ସୂଚନା ମୁତାବକ ସଂଜୟ ରାୱତଙ୍କ ଘରେ ଚଢାଉ ବେଳେ ଇଡି ହାତରେ ୧୧.୫୦ ଲକ୍ଷ ଟଙ୍କା ମିଳିଛି । ସେପଟେ ଇଡି କାର୍ଯ୍ୟାଳୟରେ ପହଂଚିବା ପରେ ଗଣମାଧ୍ୟମ ସହ କଥା ହୋଇଛନ୍ତି ସଂଜୟ । ସେ କହିଛନ୍ତି କି ମହାରାଷ୍ଟ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି । ହେଲେ କୌଣସି ପରିସ୍ଥିତିରେ ସେ ମୁଣ୍ଡ ନୁଆଁଇବେ ନାହିଁ କି ଶିବସେନା ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ସଂଜୟଙ୍କ ଓକିଲ କହିଛନ୍ତି କି କେବଳ ପଚରା ଉଚରା ପାଇଁ ଇଡି ତାଙ୍କୁ ହେପାଜତକୁ ନେଇଛି ।

କହିରଖୁ କି ଆଜି ସକାଳୁ ସଂଜୟ ରାୱତଙ୍କ ବାସଭବନରେ ପହଂଚିଥିଲେ ଇଡିର କର୍ମଚାରୀମାନେ । ସେମାନେ ଦୀର୍ଘ ୯ ଘଂଟା ଧରି ସଂଜୟ ରାୱତଙ୍କୁ ସେଠାରେ ପଚରା ଉଚରା କରିବା ସହ ତାଙ୍କ ଘରେ ଖୋଳତାଡ କରିଥିଲେ । ଇଡି ସଂଜୟ ରାୱତଙ୍କ ଧରି ଘରୁ ବାହାରିବା ବେଳେ ଘର ବାହାରେ ଗହଳି କରିଥିବା ସଂଜୟଙ୍କ ସମର୍ଥକମାନେ ଇଡିକୁ ଅଟକାଇଥିଲେ । ସଂଜୟ ରାୱତ ଘରୁ ବାହାରିବା ବେଳେ ଏକ ହଳଦିଆ ଗାମୁଛା ହଲାଇ ସମର୍ଥକମାନଙ୍କୁ କିଛି କହୁଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

କହିରଖୁ କି, ପାତ୍ରାଚଂଲ ମାମଲାରେ ଇଡି ବାରମ୍ବାର ନୋଟିସ କରିବା ପରେ ବି ସଂଚୟ ରାୱତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ନଥିଲେ । ଏହାପରେ ଆଜି ଇଡି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।