ନେପାଳ କ୍ରିକେଟ୍ ଟିମର ପୂର୍ବ ଅଧିନାୟକ, ଆଇପିଏଲ୍ ଖେଳିଥିବା ଖେଳାଳି ସନ୍ଦୀପ ଲାମିଛାନେ ଗିରଫ । ନାବାଳିକାକୁ ଦୁଷ୍କର୍ମ କରିବା ନେଇ ହୋଇଥିଲା ଅଭିଯୋଗ ।

207

କନକ ବ୍ୟୁରୋ: ନେପାଳ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳିସାରିଥିବା କ୍ରିକେଟର ସନ୍ଦୀପ ଲାମିଛାନେଙ୍କ ଅଡୁଆ ବଢିଛି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ ପୋଲିସ ତାଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରିଥିବା ଜଣାପଡିଛି ।

ଅସଲ କଥା ହେଉଛି, ନେପାଳର ଏହି କ୍ରିକେଟର ଜଣେ ୧୭ ବର୍ଷୀୟ ନାବାଳିକାକୁ କାଠମାଣ୍ଡୁର ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ଏନେଇ ନାବାଳିକା ଜଣକ ଗୌଶାଳା ମହାନଗର ପୋଲିସ ସର୍କଲରେ ଏଫଆଇଆର କରିଥିଲେ । ଏଫଆଇଆରରୁ ମିଳିଥିବା ସୂଚନା ମୁତାବକ, ସନ୍ଦୀପ ଲାମିଛାନେ ଅଗଷ୍ଟ ୨୧ ତାରିଖରେ କାଠମାଣ୍ଡୁ ଓ ଭକ୍ତପୁରର ବିଭିନ୍ନ ସ୍ଥାନକୁ ନେଇଥିଲେ । ସେହିଦିନ ରାତିରେ ସେ ଏକ ହୋଟେଲରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲେ ।

ସୂଚନାଯୋଗ୍ୟ ଯେ, ସନ୍ଦୀପ ଲାମିଛାନେ ନେପାଳ କ୍ରିକେଟ୍ ଟିମର ଅଧିନାୟକ ରହିସାରିଛନ୍ତି । ତା ସହିତ ସେ ଆଇପିଏଲ୍ ମଧ୍ୟ ଖେଳିସାରିଛନ୍ତି । ୨୦୧୮ ମସିହାରେ ସେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଦାର୍ପଣ କରିଥିଲେ ।

ଗୁରୁବାର ସକାଳୁ ନେପାଳ ଆସିବା ପୂର୍ବରୁ ସନ୍ଦୀପ ଲାମିଛାନେ ଫେସବୁକ୍ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ ନେପାଳ ଫେରୁଥିବା ନେଇ ସୂଚନା ଦେଇଥିଲେ । ତେବେ ମୋତେ ନିଶ୍ଚୟ ନ୍ୟାୟ ମିଳିିବ ଏବଂ ମୁଁ ଖୁବଶୀଘ୍ର ନିଜ ଦେଶ ପାଇଁ କ୍ରିକେଟରେ ଗୌରବ ଆଣିବି ବୋଲି ସେ ପୋଷ୍ଟରେ ଲେଖିଥିଲେ । ତେବେ ଏହି ମାମଲାରେ ସେ ଆଇନର ଲଢେଇ ଲଢିବେ ଓ ନ୍ୟାୟର ହିଁ ବିଜୟ ହେବ ବୋଲି କହିଛନ୍ତି ।