ବ୍ରାହ୍ମଣୀ ନଦୀ ପଠାରେ ମାତିଛନ୍ତି ବାଲି ମାଫିଆ । ବେଆଇନ୍ ଭାବେ ଚାଲିଛି ଟ୍ରକ୍ ଟ୍ରକ୍ ବାଲି ଚୋରି । ନିଘୋଡ ନିଦରେ ଶୋଇଛି ପ୍ରଶାସନ ।

146

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଦୌରାତ୍ମ୍ୟ ବଢିବାରେ ଲାଗିଛି । ବେଆଇନ ଭାବେ ନଦୀ ପଠାରୁ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ କରାଯାଉଛି । ଏଥିପ୍ରତି ନା ଜିଲ୍ଲା ପ୍ରଶାସନର ନଜର ଅଛି, ନାଁ ସ୍ଥାନୀୟ ବ୍ଲକ ପ୍ରଶାସନର । ନିଜ ନିଜ ପକେଟ ଗରମ କରି ଚୁପ ହୋଇ ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ । ଯାହା ଦ୍ୱାରା ନିୟମକୁ ଫୁ କରି ବାଲି ଲୁଟି ଚାଲିଛନ୍ତି ବାଲି ଲୁଟେରା । ଫଳରେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ମାଫିଆମାନେ ମାଲାମାଲ ହେଉଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ପଠାର ବିଭିନ୍ନ ସ୍ଥାନରୁ ଟ୍ରକଟ୍ରକ ବାଲି ଚୋରା ଚାଲାଣ କରାଯାଉଛି । ପଟ୍ଟାମୁଣ୍ଡାଇ, ଅଳପୁଆ, ତରଡିପାଳ, ପତ୍ରପୁର ସମେତ ରାଜନଗର ଜରିମୂଳ, ଚନ୍ଦନପୁର ଗାଁରୁ ବେଧଡକ ଭାବେ ବାଲି ଉଠାଯାଉଛି । ପ୍ରଶାସନ ଆଖିରେ ଆଙ୍ଗୁଳି ଗେଂଜି ନଦୀ ପଠାରୁ ଚୋରା ଚାଲାଣ କରାଯାଉଛି । ନଦୀ ପଠାରୁ ବାଲି ଖୋଳା ହେଉଥିବାରୁ କୂଳ ଖାଇ ଯାଉଛି । ନଦୀ ଧିରେ ଧିରେ ଗାଁ ଆଡକୁ ମାଡି ଆସୁଛି ।  ଫଳରେ ଲୋକେ ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ।

ସବୁଠାରୁ ବଡକଥା ହେଉଛି, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବ୍ରାହ୍ମଣୀ ନଦୀ ପଠାରୁ ବାଲି ଉଠାଉଥିବା ଦଲାଲ ସରକାରଙ୍କୁ ରୟାଲିଟି ଦେଉନାହାନ୍ତି । ଏଠାରୁ ବାଲି ଉଠାଇବା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ । ଗୋଟିଏ ସ୍ଥାନର ନିଲାମ ଦେଖାଇ ମାଫିଆମାନେ ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରୁ ବାଲି ଉଠାଇ ନେଉଛନ୍ତି । ବାଲି ବିକି ମାଫିଆ ମାଲାମାଲ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀ ଏଦିଗରେ ନଜର ଦେଉନାହାନ୍ତି । ସ୍ଥାନୀୟ ପ୍ରଶାସନ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଚୋରି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି ।