ପାରଦୀପ ବେଳାଭୂମିରୁ ବେଧଡକ ଚାଲିଛି ବାଲି ଚୋରି । ରାତିରେ ସକ୍ରିୟ ହେଉଛନ୍ତି ମାଫିଆ, ଟ୍ରାକ୍ଟର ଯୋଗେ ବୋହି ନେଉଛନ୍ତି ବାଲି, ପାଟ୍ରୋଲିଂ ସତ୍ୱେ ଜାଣି ପାରୁନି ପୁଲିସ ।

135

କନକ ବ୍ୟୁରୋ : ସମୁଦ୍ର ବେଳାଭୂମିରୁ ଚାଲିଛି ବେଧଡକ ବେଆଇନ ବାଲି ଚାଲାଣ । ରାତି ୧୨ଟା ଠାରୁ ପାରାଦୀପ ଷଣ୍ଡକୁଦ ବସ୍ତି ଠାରୁ ବନ୍ଦର ୫ ନମ୍ବର ଗେଟ୍ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ବାଲି ମାଫିଆଙ୍କ ରାଜ । ଟ୍ରାକ୍ଟର ଓ ଡମ୍ପର ଗାଡି ଦ୍ୱାରା ଲୁଟି ନେଉଛନ୍ତି ଟ୍ରିପ ଟ୍ରିପ ବାଲି ।

ବେଳାଭୂମିରୁ ବାଲି ଚୋରି । ରାତିର ଅନ୍ଧାର ଭିତରେ ଚାଲିଛି କଳା କାରବାର । ବନ୍ଦରନଗରୀ ଶୋଇ ପଡିବା ପରେ ବେଳାଭୂମିରୁ ବାଲି ଲୁଟି ନେଉଛନ୍ତି ଲୁଟେରା । ଟ୍ରାକ୍ଟର ଲାଗିଛି, ଟ୍ରିପ୍ ପିଛା ୪ଶହ ଟଙ୍କା ନେଇ ଲୋଡ କରୁଛନ୍ତି ଶ୍ରମିକ । ସି.ଆର.ଜେଡ ଆଇନ୍ ଅନୁଯାୟୀ ସମୁଦ୍ର କୂଳରୁ ବାଲି ଉଠାଇବା ବେଆଇନ । ବେଳାଭୂମିରୁ ବାଲି ଉଠାଇବାକୁ ହେଲେ ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ସ୍ୱତନ୍ତ୍ର ଟ୍ରିବ୍ୟୁନାଲର ନିର୍ଦ୍ଦେଶନାମା ଦରକାର । କିନ୍ତୁ ପାରାଦୀପ ଉପକୂଳରୁ ବିନା କାଗଜପତ୍ରରେ ବାଲି ଲୁଟି ନେଉଛନ୍ତି ବାଲି ମାଫିଆ ।

ସମୟ- ରବିବାର, ରାତି ପ୍ରାୟ ୨ଟା । ସ୍ଥାନ- ପାରଦୀପ ସମୁଦ୍ରକୂଳ । ଅନ୍ଧାର ରାତିରେ ଆମ ପ୍ରତିନିଧି ବେଳଭୂମିରେ ପହଂଚି ବାଲି ଚୋରି ଦୃଶ୍ୟକୁ କଏଦ କରିବା ପରେ, ଛତ୍ରଭଙ୍ଗ ଦେଇଥିଲେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ । ଗାଡି ପାଖରେ ଅଟକି ଯାଇଥିଲେ ବାଲି ଲୋଡ୍ କରୁଥିବା ଶ୍ରମିକ । ସବୁଠାରୁ ଆଶ୍ଚର୍ଯ୍ୟର କଥା ପାରାଦୀପ ମେରାଇନ ରୋଡରେ ଅନବରତ ପୁଲିସ ପାଟ୍ରୋଲିଂ କରୁଛି, କିନ୍ତୁ ବାଲି ଚୋରି ଧରି ପାରୁନି । ଏପରିକି ରାଜସ୍ୱ ନୀରିକ୍ଷକ ବି ଏହାର ଟେର ପାଉନାହାନ୍ତି ।

ବାଲି ଚୋରି ହେଉଛି, ରାଜସ୍ୱ ହାନୀ ଘଟୁଛି । କିନ୍ତୁ ଘଟଣାସ୍ଥଳରୁ ବାଲି ଗାଡି ଧରିଲେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଅଧିକାରୀ । ସେପଟେ କୁଜଙ୍ଗ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।