କନକ ବ୍ୟୁରୋ : ସମଲିଙ୍ଗୀ ସମ୍ପର୍କକୁ ଆଇନଗତ ସ୍ୱୀକୃତି ଦେବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ଶୁଣାଣିର ଦ୍ୱିତୀୟ ଦିନରେ ପ୍ରଧାନବିଚାରପତିଙ୍କ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ବିରୋଧ କରି କହିଥିଲେ, ସମଲିଙ୍ଗୀ ସମ୍ପର୍କ କେବଳ କିଛି ସହରାଞ୍ଚଳ ଗୋଷ୍ଠୀର ଚିନ୍ତନ । ଏହା ଉପରେ ଟିପ୍ପଣୀ କରି ପ୍ରଧାନ ବିଚାରପତି ଜଷ୍ଟି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ସମଲିଙ୍ଗୀ ସମ୍ପର୍କ କେବଳ ଏକ ସହରୀ ଆଭିଜାତ୍ୟ ବିଚାର ନୁହେଁ ।

Advertisment

ସହରାଞ୍ଚଳରେ ଲିଙ୍ଗଗତ ପରିଚୟ ନେଇ ଅଧିକ ବ୍ୟକ୍ତି ସାମ୍ନାକୁ ଆସନ୍ତି । ଏହାର ଅର୍ଥ ନୁହେଁ, ଯେ ସମଲିଙ୍ଗୀ ସମ୍ପର୍କକୁ କେବଳ ଏକ ସହରୀ ବିଚାର ଭାବେ ଗ୍ରହଣ କରାଯିବ । ଏନେଇ ସରକାରଙ୍କ ପାଖରେ କିଛି ତଥ୍ୟ ମଧ୍ୟ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମତାମତ ମାଗିଛନ୍ତି । କେନ୍ଦ୍ର ସରକାର ସତ୍ୟପାଠରେ ଦର୍ଶାଇଛନ୍ତି, ଏହା ବ୍ୟବସ୍ଥାପିକା ଦ୍ୱାରା ବିଚାର୍ଯ୍ୟ ପ୍ରସଙ୍ଗ, ତେଣୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମତାମତ ନେବା ଜରୁରୀ ।

ଦେଶରେ ଯୁବକଙ୍କ ବିବାହ ବୟସ ୨୧ ବର୍ଷ ସ୍ଥିର ହୋଇଥିବା ବେଳେ ଯୁବତୀଙ୍କ ବିବାହ ବୟସ ୧୮ ବର୍ଷ ରହିଛି । ଯଦି ଦୁଇ ଜଣ ଝିଅ ବିବାହ କରନ୍ତି ତା’ହେଲେ ସେମାନଙ୍କ ସର୍ବନିମ୍ନ ବୟସ ୧୮ ରଖାଯାଇ ପାରିବ ଏବଂ ଯଦି ଦୁଇ ଜଣ ପୁରୁଷ ବିବାହ କରନ୍ତି ତା’ହେଲେ ତାହାକୁ ୨୧ ବର୍ଷ ରଖାଯିବାକୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । କିନ୍ତୁ କୋର୍ଟ ଏଥିରେ ସହମତି ପ୍ରକାଶ କରିନଥିଲେ । ସମ୍ବିଧାନ ପୀଠ କହିଥିଲେ ଯେ ଯଦି ଏଭଳି ହୁଏ ତା’ହେଲେ ନିଜେ ହିଁ ନିଜର ଯୁକ୍ତିରୁ ପଛକୁ ହଟିଲା ଭଳି ହେବ ।

ଆବେଦନାକରୀଙ୍କ ଯୁକ୍ତି ଲିଙ୍ଗଗତ ସମାନତା ଉପରେ ଆଧାରିତ ଥିବାରୁ ଏ ଦିଗରେ ଅଧିକ ଗୁରୁତ୍ବ ଦେଇ ଆଗକୁ ବଢ଼ିବାକୁ ହେବ ବୋଲି ସମ୍ବିଧାନ ପୀଠ କହିଥିଲେ । ଅନ୍ୟପକ୍ଷରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ଜୋର୍‌ଦାର ବିରୋଧ କରିବା ସହ ଏ ଦିଗରେ ସମସ୍ତ ରାଜ୍ୟର ମତାମତ ଜରୁରୀ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଆଗତ ଅନ୍ୟୂନ ୧୫ଟି ପିଟିସନକୁ ଗତମାସରେ ସିଜେଆଇ ବୃହତ୍ତର ବେଞ୍ଚକୁ ପଠାଇଥିଲେ ।