ପିପିଲିରେ ନିର୍ବାଚନୀ ହିଂସା ପ୍ରସଙ୍ଗ । ଶାସକ ଦଳକୁ ଘେରିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । କହିଲେ, ଆକ୍ରମଣ ରାଜନୀତି କରୁଛି ବିଜେଡି ।

148

କନକ ବ୍ୟୁରୋ: ପିପିଲି ନିର୍ବାଚନୀ ହିଂସା ପ୍ରସଙ୍ଗକୁ ନେଇ ଆଜି ଶାସକ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ପିପିଲିରେ ଦୀର୍ଘ ୩୫ ବର୍ଷ ଧରି ଯେଉଁ ଗୁଣ୍ଡାରାଜ ଚାଲିଥିଲା, ପିପିଲିବାସୀ ତା ଭିତରୁ ବାହାରିବାକୁ ଚାହୁଁଛନ୍ତି । ବିଜେଡି ଦଳ କିନ୍ତୁ ସରକାରୀ କଳ ସହ ମିଶି ହିଂସା କରୁଛି । ଭୟ ଓ ଅବିଶ୍ୱାସ ଯୋଗୁ ବିଜେଡି ଆକ୍ରମଣ ରାଜନୀତି କରୁଛି ବୋଲି ଆଜି ପ୍ରେସମିଟ କରି କହିଛନ୍ତି  ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

ତେବେ ଏହି ହିଂସାରେ ବିଜେଡି ପାଇଁ ମୁଖ୍ୟ କାର୍ପଟଦାର ସାଜିଛନ୍ତି ପୋଲିସ । କେଦାର ସାମନ୍ତରାୟଙ୍କ ଭାଇ ଧୀରେନ୍ଦ୍ର ସାମନ୍ତରାୟଙ୍କ ନାଁରେ ୩ଟି ହତ୍ୟା ମାମଲା ସହ ଅନେକ ମାମଲା ଅଛି । ତାଙ୍କୁ ପଳାତକ ମଧ୍ୟ ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ ରାଜା ସାମନ୍ତରାୟ ଓ ସଞ୍ଜୟ ସାମନ୍ତରାୟଙ୍କୁ ମଧ୍ୟ ପଳାତକ ଘୋଷଣା କରାଯାଇଛି । କିନ୍ତୁ ସେମାନେ ନବୀନ ନିବାସ ଆସିବା ସହ ପିପିଲିରେ ବିଭିନ୍ନ ମଞ୍ଚରେ ବସୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସମ୍ବିତ ।

ପୋଲିସ ବିଜେଡି କର୍ମୀଙ୍କୁ ଛାଡିଦେଉଥିବାବେଳେ ବିଜେପି କର୍ମୀଙ୍କ ଉପରେ ଦାଉ ସାଧୁଛି । ହାଇଦର ପରି ଦୁର୍ଦ୍ଦାନ୍ତ ଅପରାଧୀ ପୋଲିସ କବଜାରୁ ଫେରାର ହେଇଯାଉଛି କିନ୍ତୁ ପୋଲିସ କେବଳ ପିପିଲି ଡେଲାଙ୍ଗରେ ଆଇନ ପାଳନ କରୁଛି ବୋଲି ସମ୍ବିତ କହିଛନ୍ତି । ଅନ୍ୟପଟେ ପିପିଲିରେ ଦୁର୍ଘଟଣାଗ୍ରସ୍ତ ଗାଡିରୁ କଳା ବ୍ୟାଗ ମିଳିଲା । ପୋଲିସ ସେ ବ୍ୟାଗ ସେହି ଗାଡିରୁ ଅନ୍ୟ ଗାଡିକୁ ନେବାରେ ସାହାଯ୍ୟ କଲା । ଯାହାକୁ ପରେ ବିଜେଡି ନେତା ନେଇଗଲେ । ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବାକୁ ବିଜେଡି ଚାହୁଁନି । ଶାସକ ଦଳ ଭୟ ଓ ଆକ୍ରମଣର ରାଜନୀତି କରୁଛି ବୋଲି ଆଜି ସମ୍ବିତ ପାତ୍ର କହିବା ସହିତ ବିଜେଡି ଉପରେ ବର୍ଷିଛନ୍ତି ।