ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ଛାତ୍ରମାନଙ୍କୁ ହଷ୍ଟେଲ ଫେରିବା ପାଇଁ ନିର୍ଦ୍ଦେଶ : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ନିର୍ଦ୍ଦେଶନାମା ଜାରି

ଭିସୁଟ ଏବଂ ବୁର୍ଲାରେ କରୋନା ସଂକ୍ରମଣ କାରଣରୁ ନିଆଗଲା ନିଷ୍ପତ୍ତି

394

କନକ ବ୍ୟୁରୋ : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କଟକଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ଛାତ୍ରମାନଙ୍କୁ ହଷ୍ଟେଲ ଫେରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସଂକ୍ରମଣକୁ ଆଖି ସତର୍କତା ମୁଳକ ପଦକ୍ଷେପ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କୂଳପତି । ବିଶେଷକରି ଭିସୁଟ ଏବଂ ବୁର୍ଲାରେ କରୋନା ସଂକ୍ରମଣ ବଢିଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଭିସୁଟରେ ଛାତ୍ରମାନେ କରୋନାରେ ସଂକ୍ରମଣ ହେବା ପରେ ଅନ୍ୟ ଛାତ୍ରମାନଙ୍କୁ ସଂକ୍ରମଣରୁ ବଂଚାଇବା ପାଇଁ କୂଳପତି ଏପରି ନିଷ୍ପତ୍ତି ନେଇଛନ୍ତି । ଭିସୁଟରେ ୧୧ଟି ହଷ୍ଟେଲରୁ ୨୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କୂଳପତି ।

ଏହାଛଡ଼ା ଅନ୍ୟାନ୍ୟ କରୋନା ସତର୍କତା ସଂପର୍କରେ ନୋଟିସ୍‌ରେ ସଚେତନ କରାଯାଉଛି । ୱାର୍ଡେନ୍‌ଙ୍କ ପକ୍ଷରୁ ଜାରି ଆଉ ଏକ ନୋଟିସ୍‌ରେ ହଷ୍ଟେଲ୍‌ ଅଧୀକ୍ଷକ, ସହ ଅଧୀକ୍ଷକମାନଙ୍କୁ କୁହାଯାଇଛି ଯେ କୌଣସି ଛାତ୍ର ବା ଛାତ୍ରୀ ନିକଟରେ ଥଣ୍ଡା, କାଶ, ଛିଙ୍କ, ଜ୍ବର ଭଳି କରୋନାର ଲକ୍ଷଣ ଦେଖାଗଲେ ତୁରନ୍ତ ତାଙ୍କୁ ଭିମ୍‌ସାର୍‌ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ । ଏଥି ପାଇଁ ବିଶ୍ବବିଦ୍ୟାଳୟ ଆମ୍ବୁଲାନ୍‌ସ ଡ୍ରାଇଭର୍‌ଙ୍କ ନମ୍ବର ଜାରି କରାଯାଇଛି । ସେହିପରି ଜରୁରୀ ସେବା ପାଇଁ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟ ଅଧିକାରୀ ଓ ଭିମସାର୍‌ ନିର୍ଦ୍ଦେଶକଙ୍କ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ।