କନକ ବ୍ୟୁରୋ : ଅକ୍ଟୋବର ୪‌ରେ ‘ସମ୍ବାଦ’ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଆଜି ୩ଟା ୩୦ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ସ୍ଥାନୀୟ ସ୍ବସ୍ତି ପ୍ରିମିୟମ୍‌ରେ ହେବାକୁ ଯାଉଥିବା ଏହି ଉତ୍ସବକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଯୋଗ ଦେବେ । ଏହି କାର୍ଯ୍ୟକ୍ରମ‌ରେ ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ସଭାପତିତ୍ବ କରିବେ । ‘ସମ୍ବାଦ’ର ବାର୍ଷିକ ଉତ୍ସବର ସିଧା ପ୍ରସାରଣ ଏହି ‘କ୍ୟୁଆର୍‌ କୋଡ୍‌’ ମାଧ୍ୟମରେ ଦେଖିପାରିବେ ।

Advertisment

ଅପରପକ୍ଷେ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଉପଲକ୍ଷେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବରୁ ଜୋନ୍‌ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଜାଭିୟର୍‌ ଛକସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସାରେଗାମା ଓ ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ‘ସମ୍ବାଦ ଭବନ’ରେ ବିତର୍କ ପ୍ରତିଯୋଗିତା ହେବ । ଅପରାହ୍‌ଣରେ ଆୟୋଜିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହା ସହ ପୂର୍ବରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ।