କନକ ବ୍ୟୁରୋ : ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ୩ଟି ଜିଲ୍ଲାରେ ଚାଲିଛି ଖୋଳତାଡ଼ । ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାର ଚେର ଯାଏଁ ପହଂଚିବା ପାଇଁ ଜୋରଦାର ଚାଲିଛି ଛାନବିନ୍ । ଦୁଇ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୁଲିସ୍ ୩ ଦିନିଆ ରିମାଣ୍ଡରେ ଆଣିବା ପରେ, ଏହି ଘଟଣା ପଛରେ କେବଳ ଟଙ୍କା ଥିଲା ନା’ ଆଉ କିଛି ଉଦ୍ଦେଶ୍ୟ ଥିଲା ତା ଉପରୁ ପରଦା ଉଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଅଭିଯୁକ୍ତମାନେ ସମର୍ଥଙ୍କୁ ଝରସୁଗୁଡ଼ାରୁ ଅପହରଣ କରିବା ପରେ କିଭଳି ବୁର୍ଲା ଆଣିଥିଲେ? ସେଠାରୁ ପୁଣି ବରଗଡ଼ ଭେଡେନ୍ ଅଂଚଳକୁ ନେଇ କେମିତି ହତ୍ୟା କରିଥିଲେ? ଏବଂ ହତ୍ୟା କରିବା ପରେ କେମିତି ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ିଥିଲେ? ଏହି ସମସ୍ତ ଘଟଣାର ସିନ୍ ରିକ୍ରିଏସନ୍ କରିଛି ପୁଲିସ୍ । ପୁଲିସର ସୂଚନା ଅନୁସାରେ ସମର୍ଥଙ୍କୁ ଅପହରଣ କରି ବୁର୍ଲା ଆଣିବା ପରେ ଡାକ୍ତରଖାନା ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ରାତିରେ ରଖିଥିଲେ । ଅପହରଣ ପରର କିଛି ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଝାରସୁଗୁଡ଼ା ପୁଲିସ୍ ବୁର୍ଲାରୁ ଆଉ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ମାମଲାଟି କ୍ରାଇମବ୍ରାଂଚ ନିରୀକ୍ଷଣରେ ଥିବା ବେଳେ ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର ପାଇଁ ପୁଲିସ୍ ତତ୍ପରତା ପ୍ରକାଶ ପାଇଛି । ଗତ ୨୬ ତାରିଖରେ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନକ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କୁ ଅହପରଣ କରାଯାଇଥିଲା । ପରେ ସମର୍ଥଙ୍କ ମୋବାଇଲରୁ ଫୋନ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍ ମଗାଯାଇଥିଲେ । ହେଲେ ପରଦିନ ସକାଳୁ ସମର୍ଥଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଥିଲା ।