କନକ ବ୍ୟୁରୋ: କଥାରେ ଅଛି ବଣ ମଲ୍ଲି, ବଣରେ ଫୁଟି ବଣରେ ହିଁ ମଉଳି ଯାଏ । ସେମିତି ମଉଳି ଯାଉଛନ୍ତି ଜାତୀୟ ସ୍ତରର ଦୃଷ୍ଟିବାଧିତ ଫୁଟବଲ୍ ଖେଳାଳି । କୋରାପୁଟ ବଡ଼ଦେଉଳା-ନୂଆ ଗାଁର ସମରା ନନ୍ଦିବାଡି । ଦିନେ ଭାରତୀୟ ଦୃଷ୍ଟି ବାଧିତ ଫୁଟବଲ୍ ଟିମରେ ସାମିଲ ହୋଇ ଜାପାନ ଭଳି ଦେଶକୁ ପରାଜୟର ସ୍ୱାଦ ଚଖାଇଥିଲେ । ହେଲେ ଏବେ ଆଉ ଖେଳିବାକୁ ସୁଯୋଗ ମିଳୁନି । ନିଜେ ନଖେଳିଲେ ବି ଜିଲ୍ଲାର ଦୃଷ୍ଟି ବାଧିତ ପିଲାଙ୍କୁ ଫୁଟବଲ୍ ଖେଳ ଶିଖାଇବାକୁ ଆଶା ରଖିଛନ୍ତି । କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ସେ ଆଶା ମଉଳି ଯାଉଥିବା ବେଳେ ଭାଗ୍ୟକୁ ଆଦରି ଘରେ ବସି ରହିଛନ୍ତି ସମରା ।

Advertisment

ବଡ଼ଦେଉଳା-ନୂଆ ଗାଁର ରାମଚନ୍ଦ୍ର ମନ୍ଦିବାଡିଙ୍କ ସାନ ପୁଅ ସମରା । ପିଲାଦିନରୁ ଦୁନିଆ ଦେଖିପାରୁଥିବା ସମରାଙ୍କ ଜୀବନରେ ୨୦୦୯ରେ ମାଡି଼ ଆସିଲା ଅନ୍ଧାର । ୨୦୦୯ରୁ ଦେଖିବାରେ ଅସୁବିଧା ହେଲା । ୨୦୧୨ ବେଳକୁ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଲେ ସମରା । କିନ୍ତୁ ପିଲା ଦିନରୁ ଜାରି ରହିଥିବା ଫୁଟବଲ ଖେଳକୁ ଛାଡି ପାରିନଥିଲେ । ୨୦୧୮ରେ ଦୃଷ୍ଟି ବାଧିତ ଫୁଟବଲ ଖେଳ ତାଲିମ୍ ନେଲେ । ଓଡ଼ିଶା ଦୃଷ୍ଟି ବାଧିତ ଟିମରେ ସାମିଲ ହୋଇ କୋଲକାତା, କେରଳ, ଝାଡଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟ ସହିତ ଖେଳିଛନ୍ତି । ଏହାସହ ଜାତୀୟ ଦଳରେ ସାମିଲ ହୋଇ କେରଳଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟୁର୍ଣ୍ଣମେଣ୍ଟରେ ଜାପାନ ବିପକ୍ଷରେ ଖେଳିଛନ୍ତି ।

ହେଲେ ଏବେ ସରକାର କି ଜାତୀୟ ଦଳ କିମ୍ବା ରାଜ୍ୟ ଦଳ କେହି ବି ସମରାଙ୍କୁ ମନେ ପକାଉ ନାହାଁନ୍ତି । କେବଳ ଭିନ୍ନକ୍ଷମ ଭତ୍ତା ପାଉଥିବା ସମରା ଏବେ ନିଜ ଭାଗ୍ୟକୁ ଆଦରି ଘରେ ରହୁଥିବା ବେଳେ ପକ୍ଷାଘାତରେ ପୀଡିତ ମାଆଙ୍କ ସେବା କରୁଛନ୍ତି ।