ମାୟାବତୀଙ୍କ ପରେ ଏବେ ବ୍ରାହ୍ମଣ ଭୋଟ ଉପରେ ଅଖିଳେଶଙ୍କ ନଜର । ସମାଜବାଦୀ ପାର୍ଟି କରିବ ବ୍ରାହ୍ମଣ ସମ୍ମିଳନୀ

144

କନକ ବ୍ୟୁରୋ : ଆଗାମୀ ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବହୁଜନ ସମାଜବାଦୀ ପାର୍ଟି ପରେ ଏବେ ସମାଜବାଦୀ ପାର୍ଟି ବି ବ୍ରାହ୍ମଣ ଭୋଟ ଉପରେ ନଜର ପକାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଖୁବଶୀଘ୍ର ବାହ୍ମଣ ସମ୍ମିଳନୀ କରିବ ବୋଲି ସୂଚନା ମିଳିଛି । ଏନେଇ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ରବିବାର ଦିନ ପାର୍ଟିର ୫ ବରିଷ୍ଠ ବ୍ରାହ୍ମଣ ନେତାଙ୍କୁ ଭେଟିଛନ୍ତି । ଏହି ଅବସରରେ ବ୍ରାହ୍ମଣ ନେତାମାନେ ଅଖିଳେଶଙ୍କୁ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି । ସୂଚନା ମୁତାବକ ସମାଜବାଦୀ ପାର୍ଟିର ଏହି ବ୍ରାହ୍ମଣ ସମ୍ମିଳନୀ ୟୁପିର ବାଲିଆ ଜିଲ୍ଲାରେ ଅନୁଷ୍ଠିତ ହେବ ।

କହିରଖୁ କି ୟୁପିରେ ମୋଟ ଭୋଟରୁ ୧୩ ପ୍ରତିଶତ ବ୍ରାହ୍ମଣ ଭୋଟ ରହିଛି । ଯାହାକୁ ହାସଲ କରିବାକୁ ଏବେ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । କିଛିଦିନ ଆଗରୁ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରବୁଦ୍ଧ ବର୍ଗ ସମ୍ବାଦ ସୁରକ୍ଷା ସମ୍ମାନ ବିଚାର ଗୋଷ୍ଠୀ ବା ବ୍ରହ୍ମଣ ସମ୍ମିଳନୀ ଆରମ୍ଭ କରିଛି । ଜୁଲାଇ ୨୩ ତାରିଖରୁ ଅଯୋଧ୍ୟାରେ ଆରମ୍ଭ ହୋଇଥିବା ବ୍ରାହ୍ମଣ ସମ୍ମିଳନୀ ୫ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।