ଭେଣ୍ଟିଲେଟରରୁ ବାହାରିଲେ ସଲମାନ ରୁଶଦି : ନ୍ୟୁୟର୍କରେ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ହୋଇଥିଲା ଛୁରାମାଡ଼

78

କନକ ବ୍ୟୁରୋ : ଭେଣ୍ଟିଲେଟରରୁ ବାହାରିଲେ ସଲମାନ ରୁଶଦି । ନ୍ୟୁୟର୍କରେ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଛୁରାମାଡ଼ ହୋଇଥିଲା ।  ସୂଚନା ଅନୁଯାୟୀ ଆୟୋଜକମାନେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରି ନଥିଲେ । ସାହିତ୍ୟ ଉତ୍ସବରେ ଯୋଗଦେବା ପାଇଁ ଚୌତୌକ୍ବା ଇନଷ୍ଟିଚ୍ୟୁଟ ପ୍ରେକ୍ଷାଳୟ ଭିତରକୁ ପ୍ରବେଶ ବେଳେ ଲୋକଙ୍କୁ ଯାଞ୍ଚ ପାଇଁ ମେଟାଲ ଡିଟେକ୍ଟର ଲାଗି ନଥିଲା । ଲୋକମାନେ ସାଥୀରେ ନେଉଥିବା ବ୍ୟାଗର ଯାଞ୍ଚ ମଧ୍ୟ କରାଯାଉ ନଥିଲା । ତେବେ ଏପ୍ରକାର ଅଭିଯୋଗ ଉପରେ ପ୍ରତି‌ଷ୍ଠାନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଂଲଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିବା ଋଷି ସୁନକ ରୁଶଦିଙ୍କ ପରିବାର ସଦସ୍ୟଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହ ସେ ଠିକ୍‌ଠାକ୍ ଥାନ୍ତୁ ଓ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ବୋଲି କାମନା କରିଛନ୍ତି । ବିଦେଶ ମନ୍ତ୍ରୀ ଲିଜ ଟ୍ରସ୍ ମଧ୍ୟ ରୁଶଦିଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଫ୍ରାନ୍ସର ବ୍ୟଙ୍ଗ ପତ୍ରିକା ଚାର୍ଲି ହେବଡ଼ୋ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି । ଏହି ପତ୍ରିକା ୨୦୧୫ରେ ପ୍ରଫେଟ ମହମ୍ମଦଙ୍କର ଏକ କାର୍ଟୁନ ଛାପିଥିବାରୁ ପତ୍ରିକାର ୧୨ ଜଣ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ୨୦୧୫ ଆକ୍ରମଣରୁ ବଞ୍ଚିଯାଇଥିବା ପତ୍ରିକାର ପରିଚାଳନା ନିର୍ଦ୍ଦେଶକ ରିସ୍ କହିଛନ୍ତି ଯେ ରୁଶଦିଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ବୋଧହୁଏ ଜଣେ ମୁସଲମାନ। ଲୋକଙ୍କୁ ଭୁଲ୍ ବାଟରେ ନେଉଥିବା ତଥାକଥିତ ଅଳ୍ପଜ୍ଞାନୀ ଧର୍ମଗୁରୁମାନଙ୍କୁ ସେ ନିନ୍ଦା କରିଛନ୍ତି ।