ସଲମାନ ଖାନଙ୍କ ବିରୋଧରେ ଲଢୁଥିଲେ ମାମଲା, ଏବେ କନେଷ୍ଟବଳଙ୍କୁ ଗାଡି ଚଢାଇ ଅଡୁଆରେ ଓକିଲ

143

କନକ ବ୍ୟୁରୋ : ସଲମାନ ଖାନଙ୍କ କଳା ହରିଣ ହତ୍ୟା ମାମଲାରେ ବିରୋଧୀ ବିଷ୍ଣୌଇ ସମାଜ ପକ୍ଷରୁ ମାମଲା ଲଢୁଥିବା ଓକିଲଙ୍କ ଗାଡି ଧକ୍କାରେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ ଯୋଦ୍ଧପୁର ଠାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଉପରକୁ ଓକିଲଙ୍କ ଗାଡି ମାଡି ଯାଇଥିଲା । ଏହାପରେ କନେଷ୍ଟବଳ ଜଣଙ୍କ ଡିଭାଇଡରରେ ପିଟି ହୋଇ ପୁଣି କାର ତଳକୁ ଚାଲିଆସିଥିଲେ । ଏହାପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ପୋଲିସ ପକ୍ଷରୁ ସଂପୃକ୍ତ ଓକିଲଙ୍କୁ ଗିରଫ କରାଯାଇଛି ।

ଏନେଇ ପୋଲିସର ସୂଚନା ମୁତାବକ କୁଡି ଭଗତାସନୀ ଥାନା ଅଞ୍ଚଳ ଗେଟ ନମ୍ବର ୩ ରେ ରାତିରେ କାର୍ଯ୍ୟରତ କନେଷ୍ଟବଳ ରମେଶ ସାରଣ ଡିଭାଇଡର ପାଖରେ ଠିଆ ହୋଇଥିଲେ । ଏହି ସମୟରେ ୧୨୦ ସ୍ପିଡରେ ଏକ କାର ଆସି ତାଙ୍କୁ ଧକ୍କା ଦେଇଥିଲା । ଏହା ଦେଖି ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣାରେ ପୋଲିସ ଧାରା ୨୭୯,୩୦୪ ଅଧାରରେ ଏକ ମାମଲା ରୁଜୁ କରିଛି । ଏହାସହ ଗାଡି ଚଳାଉଥିବା ଓକିଲ ମହିପାଲ ବିଷ୍ଣୌଇଙ୍କୁ ଗିରଫ କରିଛି । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।