ଓଲିଉଡ ପାଇଁ ଦୁଃଖଦ ଖବର । ଆରପାରିରେ ଓଲିଉଡ କମେଡିଆନ ସଲିଲ ମିତ୍ର : ଦୁର୍ଘଟଣାର ଶିକାର ହେବାପରେ କିମସରେ ଚାଲିଥିଲା ଚିକିତ୍ସା

ଓଲିଉଡ ପାଇଁ ଦୁଃଖଦ ଖବର

1,071
କନକ ବ୍ୟୁରୋ : ହସେଇ ହସେଇ ବେଦମ୍ କରୁଥିବା ସଲିଲ ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ। ହଜାରେ ଦୁଃଖରେ ଥିଲେ ମଧ୍ୟ ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ଦେଉଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଲେ। ଦୁର୍ଘଟଣାରେ ଆହତ ହୋଇ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ହାସ୍ୟ ଅଭିନେତା ସଲିଲ ମିତ୍ର ରାତି ପ୍ରାୟ ୧୨ଟା ୧୫ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୨ ଝିଅ ଉପସ୍ଥିତ ଥିଲେ। ମେ ୧୨ ତାରିଖରେ ଶ୍ରୀ ମିତ୍ର କେନ୍ଦୁଝରରୁ ସୁଟିଂ ଶେଷ କରି କାରରେ କଟକ ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଏବଂ କାର୍ ଚାଳକ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ସେଠାରୁ କିମ୍ସ ସ୍ଥାନାନ୍ତର କରାଯାଇଥିଲା।
୧୯୯୯ରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ରୁ ଅଭିନୟ ଜଗତରେ ପାଦ ଦେଇଥିବା ସ୍ବର୍ଗତ ମିତ୍ର ଅନେକ ମଞ୍ଚ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜୟ କରିପାରିଥିଲେ। ପରେ ଅର୍ଜୁନ(୨୦୦୫), ଶୁଭ ବିବାହ(୨୦୧୦), ହିରୋ(୨୦୧୧), ତୁ ମୋ ଆରମ୍ଭ , ତୁ ମୋ ଶେଷ(୨୦୧୨), ଗଞ୍ଜା ଲଢ଼େଇ(୨୦୧୪), ଗପ ହେଲେ ବି ସତ(୨୦୧୫) ଏବଂ ସିଷ୍ଟର ଶ୍ରୀଦେବି(୨୦୧୭) ଆଦି ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରି ଲୋକଙ୍କୁ ହସେଇ ହସେଇ ବେଦମ କରିଛନ୍ତି। ତାଙ୍କ ପରଲୋକ ଖବର ପାଇ ବିଳମ୍ବିତ ରାତିରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅନେକ ବ୍ୟକ୍ତି କିମ୍ସରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।