ମୌଳିକ ଅଧିକାର ଦାବିରେ ମୋଦିଙ୍କୁ ଚିଠି ଲେଖିଲେ ସହିଦଙ୍କ ପରିବାର : ମାଲକାନଗିରି ଜିଲ୍ଳାରେ ତେନ୍ତୁଳିଗୁମା ଗାଁ ମିଶିବା ପାଇଁ ରଖିଲେ ଦାବି

53

କନକ ବ୍ୟୁରୋ : ଆଜି ବି ଅବହେଳିତ ସହିଦ ଲକ୍ଷ୍ମଣଙ୍କ ଜନ୍ମ ମାଟି । କୋରାପୁଟ ଜିଲ୍ଲା ତେନ୍ତୁଳିଗୁମା ଗାଁ ଆଜି ବି ଜିଲ୍ଲା ପ୍ରଶାସନ ଓ ଓଡିଶା ସରକାରଙ୍କ ଦୃଷ୍ଟି ଆଢୁଆଳରେ । ନାଁ ଅଛି ସ୍ୱାସ୍ଥ୍ୟ କେନ୍ଦ୍ର ନାଁ ଗମନାଗମନର ବ୍ୟବସ୍ଥା । ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବା ଏଠାରେ ସାତ ସପନ । କୋରାପୁଟ ଜିଲ୍ଲା ସଦର ମହକୁମା କଥା ତ ନ କହିବା ଭଲ । ଗାଁ ମୁଣ୍ଡରେ ଥିବା ନଇ ଉପରେ ପୋଲଟିଏ ନିର୍ମାଣ ହୋଇପାରିନାହିଁ । ଏପରି ସ୍ଥିତିରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସହ ମିଶିବା ଲାଗି ଦାବୀ ରଖିଛନ୍ତି ସହୀଦ ଲକ୍ଷ୍ମଣ ନାୟକଙ୍କ ଦାୟଦ ମାନେ । ଏ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ତେନ୍ତୁଳିଗୁମା ଗ୍ରାମବାସୀ ।

ପଂଚାୟତ ସଦର ମହକୁମା ରେ ବିଦ୍ୟାଳୟ ଅଛି ସତ କିନ୍ତୁ ଶିକ୍ଷକ ର ଅଭାବ । ବିଦ୍ୟାଳୟ ରେ ମୋଟ ୨୬୧ ଛାତ୍ର ଛାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦୦ ପିଲା ମାଲକାନଗିରି ଜିଲ୍ଲାର । ଆଇନ ଶୃଙ୍ଖଳା ପରିସ୍ଥିତି ହେଲେ ମଧ୍ୟ ମାଥିଲି ଥାନା ଉପରେ ନିର୍ଭର, କାରଣ ରାମଗିରି ଫାଣ୍ଡି ଏମାନଙ୍କ ପଂଚାୟତ ରୁ ୮୦ କିଲୋମିଟର ଦୂର । ମାଲକାନଗିରି ଜିଲ୍ଲା ସହ ତେନ୍ତୁଳିଗୁମା ଗ୍ରାମ ପଂଚାୟତ କୁ ମିଶା ନ ଗଲେ ଆଗମି ବିଧାନ ସଭା ଅଧିବେଶନ ପରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ତେନ୍ତୁଳିଗୁମା ପଂଚାୟତ ବାସିନ୍ଦା ଚେତାବନୀ ଦେଇଛନ୍ତି ।

ଗାନ୍ଧିଜୀଙ୍କ କରୋ ବା ମରୋ ଆହ୍ୱାନ ରେ ଅନୁପ୍ରାଣିତ ହୋଇ ମାଥିଲି ଥାନା ଉପରେ ଆକ୍ରମଣ କରି ଶେଷରେ ନିଜ ମାଟିର ସ୍ୱାଧିନତା ପାଇଁ ୧୯୪୪ ମାର୍ଚ ୨୮ରେ ଫାଶୀ ଖୁଂଟ ରେ ଝୁଲି ଗଲେ ବୀର ଲକ୍ଷ୍ମଣ ନାୟକ । ତେବେ ସ୍ୱାଧୀନତାର ୭ ଦଶନ୍ଧୀ ପରେ ଏବେ ନିଜ ମୌଳିକ ଅଧିକାର ପାଇଁ ପୁଣି ସଂଗ୍ରାମ ଜାରି ରଖିଛନ୍ତି ସେଇ ସଂଗ୍ରାମୀ ମଣିଷଙ୍କ ଦାୟଦ ମାନେ ।