ସହିଦ ବୀର ଓଡିଆ ଯବାନ ପ୍ରସନ୍ନଙ୍କ ସ୍ମୃତିରେ ଶୁଖୁନି ପରିବାର ଲୋକଙ୍କ ଆଖିର ଲୁହ ! ଝୁରୁଛନ୍ତି ସାଙ୍ଗସାଥୀ, ଝୁରୁଛି ଗାଁମାଟି । 

213

କନକ ବ୍ୟୁରୋ : ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଗଲେ ଜଗତସିଂହପୁରର ପ୍ରସନ୍ନ କୁମାର ସାହୁ ।  ହେଲେ ବାକି ରହିଗଲା ଅନେକ ସ୍ୱପ୍ନ । ସବୁଦିନ ପାଇଁ ଜନ୍ମ ମାଟି ଝୁରୁଛି ପ୍ରସନ୍ନଙ୍କୁ । ଏବେ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରସନ୍ନଙ୍କ ପରିବାର, ସମସ୍ତଙ୍କ ମଧ୍ୟରେ ଗୋଟିଏ କଥା, କେବେ ନିଆଯିବ ପ୍ରତିଶୋଧ । ଏବେ ଅପେକ୍ଷା, ବୀର ଯବାନଙ୍କୁ ମାରିଥିବା ସେହି ଶତ୍ରୁର ନିଧନ କେବେ ହେବ, ଆଉ କେବେ ଗଡିବ ତାର ମୁଣ୍ଡ ।

ଜଳୁଛି ପ୍ରତିଶୋଧର ନିଆଁ । ମନ ବି ଗରମ ରହିଛି । ରହିବା ବି ସ୍ୱାଭାବିକ । ଯିଏ ମୋ ସ୍ୱାମୀଙ୍କୁ ନୃଶଂସ ଭାବେ ହତ୍ୟା କରିଛି, ତାର ବି ଦମନ ହେଉ । ପ୍ରସନ୍ନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିବା ସହିଦ ଯବାନ ପ୍ରସନ୍ନଙ୍କ ସ୍ତ୍ରୀଙ୍କ ମୁହଁରୁ ଏପରି କଥା ବାହାରୁଛି । ଖାଲି ସେତିକି ନୁହେଁ, ଏବେ ସମୟ ଆସିଛି ଶତ୍ରୁକୁ ସଂହାର କରିବାର, ଜୀବନରୁ ମାରିଦେବାର । ପ୍ରସନ୍ନ ସବୁବେଳେ ସାଥିରେ ଅଛନ୍ତି ବୋଲି କହୁଥିଲେ କିନ୍ତୁ ଅଧାରେ ଛାଡି ଚାଲିଗଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ପ୍ରଶନ୍ନଙ୍କ ସ୍ତ୍ରୀ ।

ଆଜି ପୁରା ଗାଁ ଖାଁ ଖାଁ ଲାଗୁଛି । ପ୍ରସନ୍ନଙ୍କ ସହିତ ମିଶିଥିବା ଗାଁ ଲୋକଙ୍କ କହିବା କଥା ହେଲା, ଅତ୍ୟନ୍ତ ମେଳାପି ଥିଲେ ପ୍ରସନ୍ନ । ସ୍ୱପ୍ନ ଥିଲା ଗାଁ ମନ୍ଦିରକୁ ସମ୍ପୁର୍ଣ୍ଣ କରିବା । ହେଲେ ଏହି କାମ ଅଧୁରା ରହିଗଲା । ପ୍ରସନ୍ନ ପାଠ ପଢୁଥିବା ସ୍କୁଲର ପୁନରୁଦ୍ଧାର ବି ହୋଇପାରିଲାନି । ପ୍ରସନ୍ନଙ୍କ ପାଇଁ ଘରଠୁ ଅଧିକା ଥିଲା ଗାଁ । ସବୁ ବେଳେ ଚାହୁଁଥିଲେ ଗାଁର ଉନ୍ନତି ହେଉ । ଗାଁ ଲୋକଙ୍କ ଗୋଟିଏ ଜିଦ, ଶତ୍ରୁର ବିନାଶ କର । ପାକିସ୍ତାନକୁ କଡା ଜବାବ ଦିଅ । ଇଟାର ଜବାବ ପଥରରେ ଦିଅ ।