ଅଧଘଂଟାର ଆତଙ୍କ ! ନନ୍ଦନକାନରେ ସିଂହଙ୍କ ମେଳରେ ଅଧଘଂଟା ଫସି ରହିଲେ ପର୍ଯ୍ୟଟକ

29

କନକ ବ୍ୟୁରୋ: ଗତକାଲି ନନ୍ଦନକାନନର ସିଂହ ସଫାରି ମଧ୍ୟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଅଧା ରାସ୍ତାରେ ଫସି ଯାଇଥିଲା । ବର୍ଷା ଯୋଗୁଁ ରାସ୍ତା ଓଦା ଥିବାରୁ ବସର ଚକ ସେଠାରେ ଦବିଯାଇଥିଲା । ଆଉ ସିଂହଙ୍କ ମେଳରେ ପ୍ରାୟ ଅଧ ଘଣ୍ଟା କାଳ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଥିଲେ । ପରେ ଅବଶ୍ୟ ଅନ୍ୟ ବସ୍ ଯୋଗେ ସେଠାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ଏବଂ ବଡ଼ ଧରଣର ଅଘଟଣରୁ ପର୍ଯ୍ୟଟକମାନେ ବର୍ତ୍ତି ଯାଇଥିଲେ । ଅନ୍ୟପକ୍ଷରେ ବସଟି ସେଠାରେ ସେପରି ଅଟକି ରହିଥିବା ବେଳେ ଅନ୍ୟ ବସଗୁଡ଼ିକୁ ଆଉ ସଫାରି ମଧ୍ୟକୁ ଛଡ଼ା ଯାଇ ନଥିଲା ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ପ୍ରାୟ ୩୦ ପର୍ଯ୍ୟଟକଙ୍କୁ ନେଇ ଏକ ବସ୍(ଓଆର୍-୦୨-୮୮୧୧)ସିଂହ ସଫାରି ମଧ୍ୟରେ ପଶିଥିଲା । ବସର କର୍ମଚାରୀମାନେ ସଫାରି ମଧ୍ୟରେ ଥିବା ଗୋଟିଏ ସିଂହ ଓ ଗୋଟିଏ ସିଂହୀକୁ ପର୍ଯ୍ୟଟକଙ୍କୁ ଦେଖାଇ ସାରିଥିଲେ । ଫେରିବା ବାଟରେ ଅଚାନକ ରାସ୍ତା ମଝିରେ ବସର ବାମ ପଟ ଚକ କାଦୁଅରେ ଦବି ଯାଇଥିଲା । ବସ୍ ଚାଳକ ଯେତେ ଚେଷ୍ଟା କଲେ ମଧ୍ୟ ଚକକୁ ସେଠାରୁ ଉଠାଇ ପାରି ନଥିଲେ । ବସ୍ ଚକ ଅଧିକରୁ ଅଧିକ ମାଟି ଭିତରକୁ ଦବୁଥିବା ଦେଖି ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ । ତେବେ ବସ୍ ଚଳକ ସେମାନଙ୍କୁ ପାଟି ନକରିବାକୁ ଏବଂ ହଲଚଲ ନହେବାକୁ ପରାମର୍ଶ ଦେଇଥିଲେ । ପରେ ଏ ସଂପର୍କରେ ନନ୍ଦନକାନନ କାର୍ଯ୍ୟାଳୟକୁ ଫୋନ୍ କରି ଜଣାଇଥିଲେ ।

ନନ୍ଦନକାନନର କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ପ୍ରଥମେ ସିଂହ ଦୁଇଟିକୁ କୌଶଳକ୍ରମେ ସଫାରିକୁ ଲାଗିଥିବା ଖାଦ୍ୟ ଗ୍ରାହଣ କକ୍ଷରେ ଭର୍ତ୍ତି କରିଥିଲେ । ଏହାପରେ ପର୍ଯ୍ୟଟକଙ୍କୁ ସେଠରୁ ଉଦ୍ଧାର କରିବାକୁ ଆଉ ଏକ ସଫାରି ବସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଦବି ଯାଇଥିବା ବସ୍ରୁ ପର୍ଯ୍ୟଟକଙ୍କୁ ବାହାର କରାଯାଇ ଅନ୍ୟ ବସରେ ବସା ଯାଇଥିଲା । ଏବଂ ପ୍ରାୟ ଅଧ ଘଣ୍ଟା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସଫାରି ମଧ୍ୟରୁ ବାହାର କରାଯାଇଥିଲା । ତେବେ ଦବି ଯାଇଥିବା ବସକୁ ସେଠାରୁ ଉଠାଯାଇ ପାରିନାହିଁ । ସେହିପରି ସଫାରି ମଧ୍ୟରେ ବସ୍ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ସୂଚନା ମିଳିଛି ।