ସରକାରୀ କାଗଜପତ୍ରରେ ରାସ୍ତା ଅଛି, କିନ୍ତୁ କବଜା କରି ନେଇଛନ୍ତି ମୁଷ୍ଟିମେୟ ବ୍ୟକ୍ତି । ବନ୍ଦୀ ଜୀବନ କାଟୁଛନ୍ତି ୫ଟି ପରିବାର ।

178

କନକ ବ୍ୟୁରୋ : ଘର ସାମ୍ନା ରାସ୍ତାକୁ କବଜା କରି ନେଇଛନ୍ତି ଜଣେ ମୁଷ୍ଟିମେୟ ବ୍ୟକ୍ତି । ତେଣୁ ଘରେ ବନ୍ଦୀ ହୋଇ ରହିଛନ୍ତି ୫ଟି ପରିବାର । ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କଲେ ବି କେହି ଦୁଃଖ ବୁଝୁନାହାନ୍ତି, ସମସ୍ୟା ସମାଧାନ ପାଇଁ ଆଗକୁ ଆସୁନାହାନ୍ତି । ତେଣୁ ଆଗକୁ ଲୋକ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଜଣେ ମୁଷ୍ଟିମେୟ ବ୍ୟକ୍ତିଙ୍କ କବଜାରେ ଘର ସାମ୍ନା ରାସ୍ତା । ଜୋର ଜବରଦସ୍ତ ରାସ୍ତା ବନ୍ଦ କରି ଦେବାରୁ ବନ୍ଦୀ ଜୀବନ ବିତାଉଛନ୍ତି ୫ଟି ପରିବାର । ସ୍ଥିତି ଏମିତି ହୋଇଛି ଯେ, ଲୋକ ତାର ବାଡ ତଳେ ଗଳି ଚାଷ ଜମି ଦେଇ ଯାତାୟତ କରୁଛନ୍ତି । ଘର ଭାଙ୍ଗି ଯାଇଥିଲେ ବି ଆବଶ୍ୟକୀୟ ସାମଗ୍ରୀ ଆସିପାରୁନଥିବାରୁ ମରାମତି କରି ପାରୁନାହାନ୍ତି । ଏମିତି କିଛି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବାବାଜୀ ସାମଲ ଓ ହୃଷିକେଶ ବେହେରା ।

ବାବାଜୀ ଓ ହୃଷିକେଶଙ୍କ ସମେତ ଆଉ ୪ଟି ପରିବାର ୪୦ ବର୍ଷ ହେଲା ଏଠାରେ ଘର କରି ରହୁଛନ୍ତି । ଘରୁ ବାହାରି ମୁଖ୍ୟ ରାସ୍ତାକୁ ଆସିବା ପାଇଁ ସରକାରୀ କାଗଜ ପତ୍ରରେ ରାସ୍ତା ଅଛି । କିନ୍ତୁ ଜଣେ ବ୍ୟକ୍ତି ସେହି ରାସ୍ତାକୁ ଜୋର ଜବରଦସ୍ତ ଅକ୍ତିଆର କରିଛନ୍ତି । ପ୍ରତିବାଦ କଲେ ଗୁଣ୍ଡା ଲଗାଇ ମାଡ ମାରିବାକୁ ଧମକ ଦେଉଛନ୍ତି । ତେଣୁ ଲୋକ ଘର ଛାଡି ବାହାରେ ସଂପର୍କୀୟ ଓ ଭଡା ଘରେ ରହୁଥିବା ଥିବା ବେଳେ ଏନେଇ ପ୍ରଶାସନକୁ ଜଣାଇଛନ୍ତି ।

ରାସ୍ତା ଜବରଦଖଲ କରିଥିବା ଜଣେ ବ୍ୟକ୍ତି ଏକ ରାଜନୈତିକ ଦଳର ହୋଇଥିବାରୁ ପ୍ରଶାସନିକ ଅଧିକାରୀ କିଛି ଶୁଣୁନାହାନ୍ତି । ତେବେ ଆଗାମୀ ଦିନରେ ଏହାର ସମାଧାନ ନହେଲେ ଲୋକେ ଧାରଣା ଦେବେ ବୋଲି ସଫା ସଫା ଶୁଣାଇଛନ୍ତି ।