ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି କାର ଜବତ ଘଟଣା । ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେ ଗିରଫ ।

447

କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯିବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ଗିରଫ ହୋଇଛନ୍ତି । ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ଦୀର୍ଘ ୧୨ଘଂଟା ଧରି ଗୁଡାଇ ତୁଡାଇ ଏନଆଇଏ ଜେରା କରିବା ପରେ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଂଟିଲିଆ ସମ୍ମୁଖରୁ ମିଳିଥିବା ବିସ୍ଫୋରକ ଭର୍ତି କାର ଜବତ ଘଟଣାରେ ସଚିନ ୱାଜେଙ୍କ ସମ୍ପୃକ୍ତି ରହିଥିବା ସେ ନିଜ ସ୍ୱୀକାର କରିଛନ୍ତି ।

ରବିବାର ଏନଆଇଏ ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ । ତେବେ ଏନଆଇଏ ଜେରାର ସମ୍ମୁଖୀନ ହେବା ପୂର୍ବରୁ ଶନିବାର ଦିନ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ସଚିନ ୱାଜେ । ତେବେ କୋର୍ଟ ତାଙ୍କର ଜାମିନ ନାମଞ୍ଜୁୁର କରିଦେଇଛନ୍ତି । ସଚିନ ୱାଜେଙ୍କ ଗିରଫଦାରୀ ପରେ ଏନଆଇଏ ପ୍ରତିକ୍ରିୟା ରଖି କହିଛି ଯେ, ଅମ୍ବାନୀଙ୍କ ଘର ସମ୍ମୁଖରୁ ବିସ୍ଫୋରକ ଭର୍ତ୍ତି କାର ମିଳିବା ଘଟଣାରେ ତାଙ୍କ ସମ୍ପୃକ୍ତି ଜଣାପଡୁଛି, ତେଣୁ ତାଙ୍କୁ ଗିରଫ କରାଯାଇଛି ।

ନିକଟରେ ଫେବ୍ରୁୟାରୀ ୨୫ତାରିଖରେ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ଏକ ବିସ୍ଫୋରକ ଭର୍ତି କାର ଉଦ୍ଧାର କରାଯାଇଥିଲା । ଏହା ବିସ୍ଫୋରକ ଭର୍ତି କାରର ମାଲିକ ମନସୁଖ ହେରାନୀ ଜେରାର ସମ୍ମୁଖୀନ ହୋଇଥିଲେ ଏବଂ କିଛି ଦିନ ପରେ ରହସ୍ୟଜନକ ଭାବେ ଏକ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ମୃତକଙ୍କ ପରିବାର ସିଧାସଳଖ ସଚିନ ୱାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ସବୁଠୁ ବଡ କଥା ହେଉଛି ମହାରାଷ୍ଟ୍ର ସରକାର ସଚିନ ୱାଜେଙ୍କୁ ହିଁ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଚିନ ସେତେବେଳେ କ୍ରାଇମବ୍ରାଂଚରେ ଥିଲେ । ଏହାପରେ ଏଟିଏସ ମଧ୍ୟ ତଦନ୍ତ କରୁଥିଲା ।