ଆଗୁଆ ଟିକସ ଜମା କଲେ ଫ୍ଲିପକାର୍ଟ ସଂସ୍ଥାପକ ! ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ୬୯୯ କୋଟିର ଟିକସ ଭରିଲେ ସଚ୍ଚିନ ବଂଶଲ

92

କନକ ବ୍ୟୁରୋ : ୬୯୯ କୋଟି ଟଙ୍କା ଆଗୁଆ ଟିକସ ଜମା କଲେ ଫ୍ଲିପକାର୍ଟର ସଂସ୍ଥାପକ ସଚିନ ବଂଶଲ । ଚଳିତ ୨୦୧୮-୨୦୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ଏହି ଟିକସ ଜମା କରିଛନ୍ତି ବଂଶଲ । ଆମେରିକା ରିଟେଲର କମ୍ପାନୀ ୱାଲମାର୍ଟକୁ ଫ୍ଲିପକାର୍ଟର ନିଜର ଅଂଶଧନ ବିକ୍ରି କରିବା ଦ୍ୱାରା ବଂଶଲଙ୍କୁ ମିଳିଥିବା ଅର୍ଥରାଶି ଉପରେ ହୋଇଥିବା କ୍ୟାପିଟାଲ ଗେନ୍ସର କର ବି ସାମିଲ ରହିଛି । ବଂଶଲଙ୍କ ପାର୍ଟନର ଓ ଫ୍ଲିପକାର୍ଟର ସହ ସଂସ୍ଥାପକ ବିନ୍ନୀ ବଂଶଲ ବି ୱାଲମାର୍ଟକୁ ତାଙ୍କ ଅଂଶଧନ ବିକ୍ରି କରିଥିଲେ ।

ସୂଚନା ଅନୁଯାୟୀ ଫ୍ଲିପକାର୍ଟରୁ ନିଜର ଅଂଶଧନ ବିକ୍ରି ଦ୍ୱାରା ତାଙ୍କୁ କେତେ ଟଙ୍କା ମିଳିଥିଲା ଉଭୟ ସଚିନ ଓ ବିନ୍ନୀ ବଂଶଲ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । ତେଣୁ ଟିକସ ହିସାବ କରିବା ପାଇଁ ସଚିନ ଓ ବିନ୍ନୀଙ୍କ ସମେତ ସେୟାର ବିକ୍ରି କରିଥିବା ଅନ୍ୟ ସେୟାର ହୋଲଡରମାନଙ୍କୁ ଅଂଶଧନ ବିକ୍ରିରୁ କେତେ ଟଙ୍କା ମିଳିଥିଲା ସେ ନେଇ ସୂଚନା ଦେବାକୁ ନୋଟିସ୍ ଜାରି କରିଛି ଆୟକର ବିଭାଗ । ୱାଲମାର୍ଟକୁ ମଧ୍ୟ ଏହି ଭଳି ଏକ ନୋଟିସ ଜାରି କରିଛି ଆୟକର ବିଭାଗ ।