ବରକନ୍ୟା ସାଜିଲେ ସବ୍ୟାର୍ଚ୍ଚିତା । ବାହାଘର ପାଇଁ ବର ବେଶରେ ସବ୍ୟସାଚୀ, କନ୍ୟା ବେଶରେ ନଜର ଆସିଲେ ଅର୍ଚ୍ଚିତା । ଫଟୋ ଛାଡି ଦୁହେଁ ଲେଖିଲେ, ଆଜି ଠାରୁ ତମର ସବୁ ସୁଖ-ଦୁଃଖ, ଭଲ-ମନ୍ଦ ମୋର ।

1,061

କନକ ବ୍ୟୁରୋ: ତାଙ୍କୁ ପ୍ରେମ ଜର ହୋଇଥିଲା, ପ୍ରିୟାର ଛମଛମ ପାଉଁଜି ତାଙ୍କୁ ପାଗଳ କରିଥିଲା । ଆଉ ସେ ପାଲଟିଗଲେ ପାଗଳପ୍ରେମୀ । କେବେ ସପନର ସୌଦାଗର ସାଜି ଛାତି ତଳେ ଡିଙ୍ଗଡଙ୍ଗ କରିଛନ୍ତି ତ କେବେ ଦୁବାଇରେ ଦିଲ୍ ହଜାଇ ପ୍ରେମିକାକୁ ଆଣିଦେଇଛନ୍ତି ଲକ୍ଷେ ଫଗୁଣ । ମୁଁ ଏକା ତୁମର କହି ସ୍ମାଇଲ ପ୍ଲିଜର ସଙ୍କେତ ଦେଇ ପ୍ରେମର ଠିକଣା ବତେଇଥିବା ସବ୍ୟସାଚୀ ଶେଷରେ ନାୟିକା ଅର୍ଚ୍ଚିତାଙ୍କ ହାତ ଧରି ତୋର ମୋର ଯୋଡି ସୁନ୍ଦର କହିବାକୁ ଯାଉଛନ୍ତି ।

ହଁ ଆଜି ଓଲିଉଡର ସୁପରହିଟ ଯୋଡି ସବ୍ୟସାଚୀ – ଅର୍ଚ୍ଚିତାଙ୍କ ବିବାହ ହେବାକୁ ଯାଉଛି । ରିଲ ଲାଇଫରୁ ରିଏଲ ଲାଇଫର ଯୋଡି ବନିବେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ସିନେ ପରଦାରେ ଦର୍ଶକ ଦୁଇ ଯୋଡିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ ସତସତିକା ଜୀବନର ଯୋଡି ବନୁଛନ୍ତି ସବ୍ୟ-ଅର୍ଚ୍ଚିତା । ଏନେଇ ଖୋଦ ସବ୍ୟସାଚୀ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶିର୍ବାଦ ଲୋଡିଛନ୍ତି । ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ହେଉଛି ତାହା ସବ୍ୟ ସୂଚନା ଦେଇନାହାନ୍ତି । ନିଜ ବାହାଘର ନେଇ ଭେନ୍ୟୁ ଓ ବିହାହ କାର୍ଯ୍ୟ ସୂଚୀର କୌଣସି ସୂଚନା ଦେଇ ନାହାନ୍ତି । ସେପଟେ ବଡ ପରଦାରେ ଦୁହିଁଙ୍କ ଯୋଡି ସୁପରହିଟ ଥିବାରୁ ତାଙ୍କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା, ଆଲୋଚନା ହୁଏ । ସବ୍ୟ- ଅର୍ଚ୍ଚିତାଙ୍କ ପ୍ରେମ କାହାଣୀକୁ ଗସିପ ବି କରାଯାଏ । ଆଉ ସବୁ ଚର୍ଚ୍ଚାକୁ ନୂଆ ସମ୍ପର୍କର ଚିତ୍ରରେ ବଦଳାଇବାକୁ ଯାଉଛନ୍ତି ଏହି ଦୁଇ ଲୋକପ୍ରିୟ ଯୋଡି । ଜୀବନ ସାଥୀ ବନିବାକୁ ଯାଉଥିବା ପରଦାର ଯୋଡ଼ି ବିବାହ ପୂର୍ବରୁ ନିଜ ନିର୍ବନ୍ଧର ଫଟୋ ଛାଡିଛନ୍ତି । ତାସହ ପାହାଡି ଇଲାକାରେ ପ୍ରିୱେଡିଂର ଫଟୋ ଛାଡି ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶିର୍ବାଦ ଲୋଡିଛନ୍ତି ସବ୍ୟସାଚୀ ।

ତେବେ ସବ୍ୟ ନିଜ ପୋଷ୍ଟରେ ଲେଖିଛନ୍ତି, ସୁଖଦୁଃଖର ନାମ ଜୀବନ । ଅନେକ ଥର ଲାଗେ, ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ଆମର ବାହାଘର ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ ।

ତେବେ ଲକଡାଉନ ସମୟରେ ସବ୍ୟସାଚୀଙ୍କୁ ରିଲ ହିରୋରୁ ରିଏଲ ହିରୋ ହେବାର ଦେଖିଛି ଓଡିଶା । କେବେ ପ୍ରବାସୀ ଓଡିଆଙ୍କୁ ଓଡିଶା ମାଟିକୁ ଆଣିବା ହେଉ କେବେ ବାହାରେ ପଶିଥିବା ଲୋକଙ୍କୁ ସାହାଯ୍ୟ କରିବା । କରୋନା କାଳରେ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା ସେତେବେଳେ ଲୋକଙ୍କୁ ସାହାଯ୍ୟ କରି ହୃଦୟର ହିରୋ ବନିଥିଲେ ସବ୍ୟ । ସେଇଥିପାଇଁ ତ ତାଙ୍କୁ ଓଡିଶାର ସୋନୁ ସୁଦ ବି କେହି କେହି କହୁଥିଲେ । ଖାଲି ସେତିକି ନୁହେଁ ଲକଡାଉନ ସରିବା ପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ତରର ଲୋକଙ୍କୁ ସାହାଯ୍ୟ କରି ହୃଦୟ ଜିଣିଛନ୍ତି ସବ୍ୟ । ଦୁଇ ଦିନ ତଳେ ପୁରୀର କୁନି ପଣ୍ଡାଙ୍କ ହାତର ଟ୍ୟୁମରକୁ ଏମସରେ ଭଲକରାଇଥିଲେ ସବ୍ୟସାଚୀ । ତେଣୁ ଅଭିନୟ ସହ ସାମାଜିକ କାମରେ ନିଜକୁ ନିୟୋଜିତ କରି ଲୋକଙ୍କ ହୃଦୟ ଜିଣିଥିବା ସବ୍ୟସାଚୀଙ୍କର ଶେଷରେ ହାତଗଣ୍ଠି ପଡିବାକୁ ଯାଉଛି । ଆଜି ସାତଜନମର ସାଥୀ ହେବେ ସବ୍ୟାର୍ଚ୍ଚିତା ।