ଋଷର ସ୍ପୁଟନିକ୍ ଲାଇଟ୍ ର ଟ୍ରାଏଲକୁ ଭାରତର ମଂଜୁରୀ । ଗୋଟିଏ ଡୋଜ୍ ଯଥେଷ୍ଟ

143

କନକ ବ୍ୟୁରୋ: ଭାରତକୁ ଖୁବ୍ ଶିଘ୍ର ମିଳିବ ଆଉ ଏକ କୋଭିଡ ଭ୍ୟାକ୍ସିନ୍ । କରୋନାକୁ ମାତ ଦେବାକୁ ଆସୁଛି ଋଷର ସ୍ପୁଟନିକ୍ ଲାଇଟ୍ ଭ୍ୟାକ୍ସିନ୍ । ଯାହାର ଗୋଟିଏ ମାତ୍ର ଡୋଜ୍ ଶରୀରକୁ କରୋନା ଠାରୁ ସୁରକ୍ଷା ଦେବାକୁ ଯଥେଷ୍ଟ ବୋଲି କୁହାଯାଉଛି । ଏହାର ପରୀକ୍ଷଣ ପାଇଁ ଭାରତୀୟ ଡ୍ରଗ୍ସ କଣ୍ଟ୍ରୋଲ ଅନୁମତି ଦେଇସାରିଛନ୍ତି ।
ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ( ଡିସିଜିଆଇ) ଭାରତରେ ଏହାର ଫେଜ୍ -୩ ଟ୍ରାଏଲ ପାଇଁ ମଂଜୁରୀ ଦେଇଛନ୍ତି । ସବଜେକ୍ଟ ଏକ୍ସପର୍ଟ କମିଟି( ଏସଇସି)ଏହାର ଟ୍ରାଏଲକୁ ମଂଜୁରୀ ଦେବାକୁ ଡିସିଜିଆଇକୁ ସୁପାରିଶ କରିଥିଲା ।

ସୂଚନା ମୁତାବକ, ଏହା ପୂର୍ବରୁ ମଧ୍ୟ ଜୁଲାଇରେ ଋଷର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ ସ୍ପୁଟନିକ୍ –ଭି ର ଜରୁରୀକାଳୀନ ବ୍ୟବହାର ପାଇଁ ଏସଇସି ସୁପାରିଶ କରିଥିଲା । ହେଲେ ଭାରତରେ ଏହାର ପରୀକ୍ଷଣ ହୋଇନପାରିବାରୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍(ସିଡିଏସସିଓ)ଏହାକୁ ଖାରଜ କରିଥିଲେ । ଗତବର୍ଷ ଋଷର ସ୍ପୁଟନିକ୍ –ଭି ଭ୍ୟାକ୍ସିନ୍ ର ପରୀକ୍ଷଣ ପାଇଁ ହାଇଦ୍ରାବାଦ୍ ସ୍ଥିତ ଡକ୍ଟର ରେଡ୍ଡି ଲାବୋରାଟୋରିଜ୍ ଋଷ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ଚୁକ୍ତି କରିଥିଲା । କିନ୍ତୁ ଋଷରେ ସିଙ୍ଗଲ ଡୋଜର ପରୀକ୍ଷଣ ଓ ବ୍ୟବହାର କେତେ ସଫଳ ହୋଇଛି ସେନେଇ ଏକ ରିପୋର୍ଟ ମଗାଇବାକୁ ଏସଇସି ଡକ୍ଟର ରେଡ୍ଡି ଲାବୋରାଟୋରୀଜ୍ ମୁଖ୍ୟଙ୍କୁ କହିଥିଲା । ଏହା ଆଧାରରେ ଭାରତରେ ଏହାର ପରୀକ୍ଷଣ ଓ ବ୍ୟବହାର ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ନିକଟରେ ଲ୍ୟାନସେଟର ଏକ ସର୍ଭେ ରିପୋର୍ଟ ମୁତାବକ, ଋଷର ସିଙ୍ଗଲ ଡୋଜ୍ ଟିକାରେ କରୋନା ବିରୋଧରେ ୭୮ରୁ ୮୪ ପ୍ରତିଶତ ପ୍ରତିଶେଧକ ଶକ୍ତି ରହିଛି, ଯାହା ଡବଲ ଡୋଜ୍ ଟିକାଠାରୁ ଯଥେଷ୍ଟ ଅଧିକ ବୋଲି ଜଣାପଡିଛି ।