ଯୁଦ୍ଧ ଭିତରେ ୟୁକ୍ରେନ ବିରୋଧରେ ଋଷର ନୂଆ ଷଡଯନ୍ତ୍ର: କ୍ରେମଲିନ ଆରମ୍ଭ କରିଛି ଅପରେସନ ବ୍ଲାକ ଆଉଟ

300

କନକ ବ୍ୟୁରୋ: ୧୦ମାସ ଧରି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ଘମାଘୋଟ ଆକ୍ରମଣ କରିଚାଲିଛି ରୁଷ । ଏବେ ୟୁକ୍ରେନର ବିଭିନ୍ନ ସହରରେ ଥିବା ପାୱାର ଗ୍ରୀଡକୁ ଟାର୍ଗେଟ କରୁଛନ୍ତି କ୍ରେମଲିନ । ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭିତିଭୂମିକୁ ଟାଗେର୍ଟ କରି ରୁଷ ମିଜାଇଲ ମାଡ କରୁଛି । ଏପର୍ଯ୍ୟନ୍ତ ରାଜଧାନୀ କିଭର ୧୨ଟି ପ୍ରମୁଖ ବିଦ୍ୟୁତ୍ କେନ୍ଦ୍ରରେ ମିଜାଇଲ ମାଡ କରାଯାଇଛି । ସେପଟେ ମିଜାଇଲ ମାଡରେ କ୍ଷତିଗ୍ରସ୍ତ ହୋଇପଡିଥିବା ପାୱାରଗ୍ରୀଡ ଗୁଡିକର ପୁନଃରୁଦ୍ଧାର ପାଇଁ ଦିନରାତି ସଂଘର୍ଷ କରୁଛି ୟୁକ୍ରେନ୍ ।

ରାଜଧାନୀ କିଭର ପ୍ରାୟ ୪୦ ପ୍ରତିଶତ ଶକ୍ତି ଭିତିଭୂମି ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାଫଳରେ ୟୁକ୍ରେନର ୪୫ ଲକ୍ଷ ଲୋକେ ଏବେ ଅନ୍ଧାରରେ ରହିଛନ୍ତି । ସହରର ଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ୟୁକ୍ରେନ ପକ୍ଷରୁ ବ୍ଲାକଆଉଟ ଯୋଜନା କରାଯାଉଛି ।

ପ୍ରାଣବିକଳରେ ୟୁକ୍ରେନବାସୀ ବଙ୍କରରେ ଲୁଚି ଆତ୍ମରକ୍ଷା କରୁଛନ୍ତି । ଅନ୍ୟପଟେ ୟୁକ୍ରେନର ଇଞ୍ଜିନିୟର ଜୀବନକୁ ବାଜିରେ ଲଗାଇ ଆକ୍ରମଣରେ ନଷ୍ଟ ହୋଇପଡିଥିବା ବିଦ୍ୟୁତ୍ ଷ୍ଟେସନକୁ ମରାମତି କରିବାରେ ଦିନ ରାତି ଲାଗିଛନ୍ତି ।

ବୋମା,ମିସାଇଲ ମାଡରେ କ୍ରେମଲିନ ୟୁକ୍ରେନକୁ ଡରାଇବାକୁ ଚେଷ୍ଟା କରି ମଧ୍ୟ ପୂରାପୁରି ସଫଳ ହୋଇପାରିନ । କ୍ରେମଲିନ ୟୁକ୍ରେନବାସୀଙ୍କୁ ନିର୍ଯ୍ୟାତନା ଦେଇ ଛଟପଟ କରିବାକୁ ନୂଆ ବାଟ ଆପଣାଇଛନ୍ତି । ପୁଟିନ ହୁଏତ ଚିନ୍ତା କରୁଥିବେ କି ଏଭଳି ସ୍ଥିତିରେ ଜେଲେନସ୍କି ମୁଣ୍ଡନୁଆଁଇବେ ଓ ଆତ୍ମସମପର୍ଣ କରିବେ ।

ସ୍ଥିତିକୁ ଦେଖି ଦେଶବାସୀଙ୍କୁ ସର୍ତକ କରାଇଛନ୍ତି ଜେଲେନସ୍କି । ୩୦ଲକ୍ଷ ଲୋକଙ୍କୁ କିଭରୁ ବାହାର କରିବା ପାଇଁ ଚେଷ୍ଟା ଚାଳିଛି । ଏମରଜେନ୍ସି ବ୍ଲାକଆଉଟ ଘୋଷଣା କରାଯାଇପାରେ । ୧ହଜାର ଅସ୍ଥାୟୀ ତାପକେନ୍ଦ୍ର ସ୍ଥାପନ କରାଯାଇପାରେ । କିଭଳି ବିଦ୍ୟୁତଗ୍ରେଡ ଫେଲ ନହୁଏ ସେଦିଗରେ କାମ କରାଯାଉଛି । କିଭ, ଚୀର୍ନିହାଇବ, ଚର୍କୋସୀ, ଜାଇଟୋମିର, ସୁମୀ, ଖାରକିଭ, ପୋଲଟାବା ଅନ୍ଧାର ଭିତରେ ରହିଛି । ୟୁକ୍ରେନର ଅଧିକାରୀଙ୍କ କହିବାନୁଯାୟୀ, ଗତ ସପ୍ତାହରେ ରୁଷ, ୟୁକ୍ରେନର ବିଭିନ୍ନ ସହରରେ ପ୍ରାୟ ୫୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଛି । ଯେଉଁଥିରେ ୧୨ରୁ ଅଧିକ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ରହିଛି । ଫଳରେ ହଜାର ହଜାର ଲୋକଙ୍କ ଘରକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଛି । ଶୁକ୍ରବାର ରୁଷ ସେନା ପକ୍ଷରୁ ଘରୋଇ ବିଦ୍ୟୁତ୍ ଯୋଗାଣ କରୁଥିବା ଏକ କମ୍ପାନୀ ଉପରେ ଆକ୍ରମଣ କରିଥିଲା । ତେବେ ରୁଷ ପକ୍ଷରୁ ଏଭଳି ଆକ୍ରମଣ ଜାରି ରଖିଲେ , ଆଗକୁ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ । ଏଥିପାଇଁ ପାୱାରଷ୍ଟେସନ ଗୁଡିକୁ କିଭଳି ବୋମା ଓ କ୍ଷେପଣାସ୍ତ୍ରରୁ ରକ୍ଷା କରାଯିବ, ସେଥିପାଇଁ ପ୍ରସ୍ତୁତ ଆରମ୍ଭ କରିଛି ୟୁକ୍ରେନ୍ । କ୍ଷେପଣାସ୍ତ୍ର ଓ ବୋମାମାଡରୁ ରକ୍ଷା ପାଇଁ ଏବଂ ବିଦ୍ୟୁତ୍ କେନ୍ଦ୍ରକୁ ସୁରକ୍ଷା ଦେବା ପ୍ରୟାସ କରାଯାଉଛି ।